ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା-ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣାରେ ୫୮ସବ୍‌ଡିଭିଜନ ଘେରିବ ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭ୍ରଷ୍ଟାଚାର, ଦୁର୍ନୀତି, ଯୌନ କେଳେଙ୍କାରୀ, ଅପରାଧ, ମହିଳାଙ୍କୁ ଦୁଷ୍କର୍ମ, ଯୁବକଙ୍କ ବେରୋଜଗାରୀ ଓ ସମାଜକୁ ନଷ୍ଟ କରିବା ଭଳି ବିଭିନ୍ନ କାର୍ଯ୍ୟରେ ବିଜୁ ଜନତା ଦଳ ଦୀର୍ଘ ୨୨ବର୍ଷ ଶାସନରେ ରହି ଓଡ଼ିଶାକୁ ଭେଟି ଦେଇଛି । ନିମାପଡା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ସମେତ ରାଜ୍ୟରେ ଘଟିଥିବା ଯୌନ କେଳେଙ୍କାରୀ, ଦୁର୍ନୀତି, ଟେଣ୍ଡର ଫିକ୍ସିଂ, ମନି ଲଣ୍ଡରିଂରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତା ସଂଶ୍ଳିଷ୍ଟ । ଓଡ଼ିଶାବାସୀ ଟିକସ ଦେଉଥିବା କୋଟି କୋଟି ଟଙ୍କା ବିଜୁ ଜନତା ଦଳର ନେତାଙ୍କ ବିଳାଶବ୍ୟସନରେ ଲାଗୁଛି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ କଥା ହେଉକି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ଶାସକ ବିଜୁ ଜନତା ଦଳର ନେତାମାନେ ସଂଶ୍ଳିଷ୍ଟ ବୋଲି ଜଳ ଜଳ ପ୍ରମାଣ ମିଳୁଛି । ଶାସକ ଦଳ ନେତାଙ୍କ ପୃଷ୍ଠପୋଷକତା, ତତ୍ୱାବଧାନରେ ଅପରାଧ କରାଯିବା ସହ ଅପରାଧି ସୃଷ୍ଟି କରାଯାଇ ଓଡ଼ିଶାବାସୀଙ୍କୁ ଶୋଷଣ କରାଯାଉଛି । ପୁରୀ ଜିଲ୍ଲା ନିମାପଡାର ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ବନ୍ଧୁଙ୍କୁ ଫୋନ କରି ତାଙ୍କ ଆତ୍ମହତ୍ୟା ଲାଗି ବାରମ୍ବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ନାମ ନେଇଥିବା ଅଡିଓ ଭାଇରାଲ ହୋଇଥିଲା । ବିନ୍ଦାସ ଚିନୁ, ମୁନା ମହାପାତ୍ର ମଧ୍ୟ ସ୍ୱର୍ଗତଃ ସାହୁଙ୍କୁ ଆତ୍ମହତ୍ୟା ଲାଗି ଦାୟୀ ବୋଲି ଅଡିଓ ଭାଇରାଲ ହୋଇଥିଲେ ମଧ୍ୟ କାହିଁକି ଓଡ଼ିଶା ପୋଲିସ ଏହି ୩ ଅଭିଯୁକ୍ତଙ୍କୁ ଏଯାଏଁ ଗିରଫ କିମ୍ବା ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଆଜି ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ କହିଛନ୍ତି, ସମୀର ଦାଶ ସ୍ୱର୍ଗତଃ ସାହୁଙ୍କ ପତ୍ନୀଙ୍କୁ ଡ୍ରଗ୍ସ ଦେଇ ଅନୈତିକ ସମ୍ପର୍କ ରଖିବା, ସ୍ୱର୍ଗତଃ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ଓ ବିନ୍ଦାସ ଚିନୁ ସେହି ଭିଡିଓ ଦେଖାଇ ସ୍ୱର୍ଗତଃ ସାହୁଙ୍କୁ ବ୍ଲାକମେଲିଂ କରି ପ୍ରତିମାସ ହଜାର ହଜାର ଟଙ୍କା ନେଉଥିବା ଅନ୍‌ଲାଇନ ଟ୍ରାଜେକ୍ସନ୍ ଓ ଅଡିଓ ଭାଇରାଲ ହେଉଛି । ସ୍ୱର୍ଗତଃ ସାହୁଙ୍କ ଆତ୍ମହତ୍ୟାର ଯଥେଷ୍ଟ ପ୍ରମାଣ ଥାଇବି ଏଯାଏଁ ଓଡ଼ିଶା ପୋଲିସ ତଦନ୍ତ ନକରି ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଘଂଟ ଘୋଡାଉଛି । ରାଜ୍ୟ ସରକାର ମା’କୁ ସମ୍ମାନ ଓ ସାଢ଼େ ଚାରି କୋଟି ଓଡ଼ିଆ ମୋ ପରିବାର କଥା କହୁଛନ୍ତି । କିନ୍ତୁ ସେହି ପରିବାର ଭିତରେ ବା ବିଜୁ ଜନତା ଦଳରେ ଥାଇ ବି ମଧ୍ୟ ସ୍ୱର୍ଗତଃ ସାହୁଙ୍କ ଆତ୍ମହତ୍ୟାର ତଦନ୍ତ ଏଯାଏଁ କାହିଁକି ହୋଇନାହିଁ ରାଜ୍ୟ ସରକାର ଏହା ସ୍ପଷ୍ଟ କରନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଏସିପି, ଡିସିପି ଓ ପୋଲିସ କମିଶନରଙ୍କୁ ବାରମ୍ବାର ଭେଟି ଅଭିଯୋଗ ଦେବା ସତ୍ୱେ କାହିଁକି କେସ୍‌ର ତଦନ୍ତ ଆଗଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପୋଲିସ ଡିଜି ଏହାର ଉତର ରଖନ୍ତୁ । ଓଡ଼ିଶା ପୋଲିସ ସମ୍ବିଧାନକୁ ମାନିବା ସହ ନିଜର ବିବେକାନୁମୋଦିତ କାର୍ଯ୍ୟ କରିବାଲାଗି ଡ. ଲେଖାଶ୍ରୀ ଆହ୍ୱାନ ଦେଇଛନ୍ତି ।
ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ଦୁର୍ନୀତି, ଭ୍ରଷ୍ଟାଚାରୀ ଓ କେଳେଙ୍କାରୀ କରିବା ଲାଗି ତାଙ୍କ ଦଳର ମୁଖିଆ ପ୍ରଶ୍ରୟ ଦେଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ଦୁର୍ନୀତିଖୋର ନେତାଙ୍କ ବିରୋଧରେ ଶାସକ ଦଳ ମୁଖିଆ କାର୍ଯ୍ୟାନୁଷ୍ଠାନ ବଦଳରେ ନୂଆ ନେତାଙ୍କୁ ସ୍ଥାନ ଦେଇ ଓଡ଼ିଶାର ଜନସାଧାରଣଙ୍କୁ ଭକୁଆ ବନାଉଛନ୍ତି । ପ୍ରତାପ ଜେନା, ଅରୁଣ ସାହୁ ଓ ଦିବ୍ୟଶଙ୍କର ମିଶ୍ର ତିନି ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ, ମାହାଙ୍ଗା ଟ୍ରିପୁଲ ମଡର କେସ, ପରୀ ଓ ମମିତା ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ ବି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ କେବଳ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେଇ ଅନ୍ୟମାନଙ୍କୁ ମନ୍ତ୍ରୀମଣ୍ଡଳ ଟିମ୍‌ରେ ନେଇ ବିଜେଡି ମୁଖିଆ ଓଡ଼ିଶାବାସୀଙ୍କୁ କେବଳ ଭ୍ରମିତ କରୁଛନ୍ତି ।
ଲେଡି ବ୍ଳାକମେଲର ଅର୍ଚ୍ଚନାଙ୍କ ବାସଭବନରେ ବିଜୁ ଜନତା ଦଳର ୧୨ରୁ ଊର୍ଦ୍ଧ୍ୱ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ ଯା’ଆସ କରିବା ସହ ସେଠାରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ କରାଯାଉଥିଲା । ଏପରିକି ଟ୍ରାନ୍ସଫର୍‌, ପୋଷ୍ଟିଂ ଓ ଟେଣ୍ଡର ଫିକ୍ସିଂ ଭଳି ନିଷ୍ପତି ନିଆଯାଉଥିଲା ସେଠାରେ । ଜଣକୁ ଗୋଟିଏ ବି ପାସ୍ ବା ଟିକେଟ୍ ମିଳୁନଥିବାବେଳେ ସବୁଠୁ ଆଶ୍ଚର୍ଯ୍ୟ ଯେ, ଅର୍ଚ୍ଚନା ନାଗଙ୍କୁ ଭାରତ-ସାଉଥଆଫ୍ରିକା ମ୍ୟାଚ୍‌ର ୨୦୦ପାସ୍ ମିଳିଥିଲା । ଏପରିକି ମ୍ୟାଚ ଦିନ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅର୍ଚ୍ଚନା ନାଗଙ୍କୁ ଷ୍ଟାଡିୟମ ପର୍ଯ୍ୟନ୍ତ ଏସ୍‌କଟ୍ କରି ନେଇଥିଲେ ବି ପୋଲିସ କାହିଁକି ଏହାର ତଦନ୍ତ କରୁନାହିଁ ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି । ରାଜ୍ୟ ସରକାର ଓ ଓଡ଼ିଶା ପୋଲିସ ସ୍ପଷ୍ଟ କରନ୍ତୁ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟ ପଛରେ କେଉଁ ନେତା, ମନ୍ତ୍ରୀଙ୍କ ହାତ ରହିଛି । ଯଦି ଉପରୋକ୍ତ ଘଟଣା ଗୁଡିକର ରାଜ୍ୟ ସରକାର ନିରପେକ୍ଷ ତଦନ୍ତ ନକରନ୍ତି ତାହାଲେ ଆଗାମୀ ୭ଦିନ ଭିତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ୫୮ଟି ସବଡିଭିଜନରେ ଆନ୍ଦୋଳନ ପ୍ରତିବାଦ କରାଯିବ ବୋଲି ଡ. ଲେଖାଶ୍ରୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.