ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ୮୦% ଲୋକ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଦୀର୍ଘ ୨୩ବର୍ଷ ଶାସନ କରିବା ପରେ ମଧ୍ୟ ଚାଷୀଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା ନକରିବା ଲଜ୍ଜାର କଥା । ରାଜ୍ୟ ସରକାର ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି ବାସ୍ତବରେ ତାହା ଗାଁରେ ପଂହଚିପାରୁନାହିଁ । ଚାଷୀମାନେ ବିଧାନସଭା ସମ୍ମୁଖରେ ଚିତ୍କାର କରୁଥିଲେ ମଧ୍ୟ ମନ୍ତ୍ରୀମାନେ ଏହାର ଉତର ଦେଉନାହାନ୍ତି । କାହିଁକି ନା ପଦ୍ମପୁର ଉପନିର୍ବାଚନ ଲାଗି ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ, ବିଧାୟକ ଓ ନେତା ପ୍ରଚାରକୁ ଯାଇ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି । ଚାଷୀ ନ୍ୟାୟ ଭିକ୍ଷା କରୁଥିଲେ ବି କୃଷିମନ୍ତ୍ରୀ କିମ୍ବା ସମବାୟ ମନ୍ତ୍ରୀ ନିର୍ବାଚନ ଜିତିବା ଲାଗି ପ୍ରଚାରରେ ମାତି ଚାଷୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ନିର୍ବାଚନ ଜିତିବା ଲାଳଶାରେ ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ୨୦୦କୋଟି ଟଙ୍କା ସବ୍ସିଡି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହୋଇଥିବା ୨୦୦କୋଟି ଟଙ୍କାର ସବ୍ସିଡି କିଏ ନେବ ଓ କେଉଁ ଆଧାରରେ ନେବ ତାହା ସାର୍ବଜନୀନ କରାଯାଉ ବୋଲି ବରିଷ୍ଠ ନେତା ଶାରଦା ପ୍ରଧାନ କହିଛନ୍ତି ।ଭାରତୀୟ ଜନତା ପାର୍ଟି ଓଡିଶାର କୃଷି ଓ କୃଷକଙ୍କ ସ୍ୱାର୍ଥ ପାଇଁ ଆଜିକୁ ୧୪ଦିନ ଧରି ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିଛି । ଏହି ସତ୍ୟାଗ୍ରହରେ ଆଳି ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଚାଷୀ ସାମିଲ ହୋଇ ଶାସକ ଦଳକୁ ଘେରିଛନ୍ତି । ଆଜି ପଥପ୍ରାନ୍ତ ନାଟକ ମାଧ୍ୟମରେ ଚାଷ ଓ ଚାଷୀର ପ୍ରସଙ୍ଗରେ କିଭଳି ରାଜ୍ୟ ସରକର ଚାଷୀଙ୍କ ନାଁ ନେଇ ଯୋଜନା କରୁଛନ୍ତି ଓ ଚାଷୀ ମୌଳିକ ସୁବିଧା ନପାଇ ହନ୍ତସନ୍ତ ହେଉଛି ତାହା ବର୍ଣ୍ଣନା କରାଯାଇଛି । ଦୀର୍ଘ ୧୪ଦିନ ଧରି ବିଧାନସଭା ସମ୍ମୁଖରେ ଚିତ୍କାର କରୁଥିଲେ ମଧ୍ୟ ରାଜ୍ୟ ସରକାର ନଶୁଣିବାରୁ ଆସନ୍ତାକାଲି ଜାତି, ବର୍ଣ୍ଣ ନିର୍ବିଶେଷରେ ୫୦ହଜାର କୃଷକ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରୁ ବିଧାନସଭା ଅଭିମୁଖେ ଗଣବିକ୍ଷୋଭ କରିବେ ଶ୍ରୀ ପ୍ରଧାନ କହିଛନ୍ତି ।
ଓଡିଶାର କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋ ଗୁହାଳ, ମୋ ବାଡି, ମୋ ପୋଖରୀ ଭଳି ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଛନ୍ତି । ବାସ୍ତବରେ ଏହି ଯୋଜନାର ଟଙ୍କାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ନେତା ଓ ବିଧାୟକମାନେ ଦଳ ଭିତରେ ବାଂଟି ନେଉଛନ୍ତି । ଚାଷୀଙ୍କୁ ସର୍ବଦା ଭକୁଆ କରିବା ସହ ବାହାନା ବନାଉଛି ଶାସକ ଦଳ । ଚାଷଜମି ଥିବା ଚାଷୀଙ୍କୁ ଟୋକନ ମିଳୁନଥିବା ବେଳେ କମ୍ ଚାଷଜମି ଥିବା ବିଜେଡି କର୍ମୀ ନେତାଙ୍କୁ ରାଜ୍ୟ ସରକାର ଟୋକନ ଦେଉଛନ୍ତି । ଏହାଦ୍ୱାରା ବାଧ୍ୟହୋଇ କମିଶନ ଦେଇ ଟୋକନ କିଣୁଛନ୍ତି ଧାନ ଅମଳ କରିଥିବା ପ୍ରକୃତ ଚାଷୀ । ନବୀନଙ୍କ ଏହି ହୀନପ୍ରକୃତିକୁ ଅନ୍ନଦାତା ଠିକ ଜବାବ ଦେବେ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।
ଏହି ସତ୍ୟାଗ୍ରହରେ ରାଜ୍ୟ ସାଧାରଣ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, କୃଷଚନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦୀଲୀପ ମଲ୍ଲିକ, ସୁନାକର ବେହେରା, ବ୍ରଜସୁନ୍ଦର ଭୂୟାଁ, ରାଜ୍ୟ ପରିଷଦ ସଭ୍ୟ ରଶ୍ମିରଞ୍ଜନ ବେହୁରା, ମହେଶ ମହାନ୍ତି, ସୁଶାନ୍ତ ସାବତ, ବିଶ୍ୱଜିତ ସ୍ୱାଇଁ, ସରୋଜ ସାହୁ, ପ୍ରିୟଦର୍ଶିନୀ ନନ୍ଦ, ଅଭିମନ୍ୟୁ ଗୋଚ୍ଛାୟତ, ନେହେରୁ ସାହୁ ପ୍ରମୁଖ ସତ୍ୟାଗ୍ରହରେ ଉଦ୍ବୋଧନ ଦେଇ ଆଗାମୀ ଦିନରେ ଚାଷୀ ସ୍ୱାର୍ଥ ପାଇଁ ବିଜେପି ବ୍ୟାପକ ଲଢ଼େଇ ଚାରି ରଖିବ ବୋଲି ମତ ଦେଇଥିଲେ ।