ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗକୁ ମିଳିଲା ଜାମିନ । ମଙ୍ଗଳବାର ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ନୟାପଲ୍ଲୀ ଥାନାରେ ଥିବା ମାମଲାରେ ଏହି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯିବେ ନାହିଁ, ତଦନ୍ତରେ ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ପୂର୍ବରୁ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦକୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।ପୂର୍ବରୁ ଏହି ମାମଲାର ଶୁଣାଣି କରି ତଦନ୍ତର କଣ ଅଗ୍ରଗତି ହୋଇଛି ସେ ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନୟାପଲ୍ଲୀ ଥାନାରେ ଦାୟର ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଚାର୍ଜସିଟ ଦାଖଲ ପରେ ପୋଲିସ କଣ ଅଧିକ ତଦନ୍ତ କରିଛି, ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ କୋର୍ଟ। ଜଷ୍ଟିସ ଭି ନରସିଂହଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯାଇଥିଲା । ହନିଟ୍ରାପ କ୍ବିନ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେବା ସହିତ ଏହି କେଳେଙ୍କାରୀରେ ସାମିଲ ଥିବା କିଛି ରାଜନେତା ତଥା ବଡ଼ବଡ଼ ବ୍ୟବସାୟୀଙ୍କ ଲିଙ୍କ୍ ଖୋଜି ବାହାର କରିଛି ଇଡି । ଇଡି ହାତରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କ ସୁରାକ ଲାଗିଛି । ପୋଲିସ ଜବତ କରିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ ପାଇଁ ଚାହୁଁଛି ଇଡି । କିନ୍ତୁ ଏନେଇ ଫରେନ୍ସିକ ଟିମ ଏବେଯାଏଁ ଇଡିକୁ କୌଣସି ଡିଜିଟାଲ ତଥ୍ୟ ଦେଇନଥିବା ବେଳେ ସେହି ଗ୍ରାଉଣ୍ଡରେ ତଦନ୍ତ ପାଇଁ ଇଡି କୋର୍ଟକୁ ଜଣାଇଛି ।
ଏନେଇ ଅର୍ଚ୍ଚନାଙ୍କୁ ୩ୟ ପର୍ଯ୍ୟାୟରେ ରିମାଣ୍ଡରେ ନେବାକୁ ଚାହିଁଥିଲା ଇଡି । ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟରେ ୭ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ୬ଦିନ ପାଇଁ ରିମାଣ୍ଡରେ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଆଜି ଅର୍ଚ୍ଚନାଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଇଥିଲା ଇଡି । ଏଠାରେ ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ୟାୟରେ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ଇଡିର ଏହି ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଫଳରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।
ଏହି ମାମଲାରେ ପୋଲିସ ଛାଡି ଦେଇଥିବା ନାଗ ଦମ୍ପତିଙ୍କ ସହଯୋଗୀ ଖଗେଶ୍ବରକୁ ଗିରଫ କରି କୋର୍ଟ ଚାଲାଣ ପରେ ସେ ଏବେ ଝାରପଡା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।