ସହରାଞ୍ଚଳ ପରିମଳ ଓ ବର୍ଜ୍ୟ ପରିଚାଳନାରେ ଗୋଷ୍ଠୀ ସହଭାଗିତା ନେଇ ଆଲୋଚନା,ବସ୍ତି ଅଞ୍ଚଳରେ ୧୦୦% ମୋ ଶୌଚାଳୟ ନିର୍ମାଣ ନେଇ ହେଲେ ବିସ୍ତୃତ ଆଲୋଚନା
ଓଡିଆ ନ୍ୟୁଜ୍(ବ୍ୟୁରୋ): ପରିମଳ ଓ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାକୁ ତ୍ଵରାନ୍ୱିତ କରି ଅର୍ବାନ୍ ଓଡ଼ିଶାର ନିର୍ଦ୍ଧାରିତ ଆଭିମୁଖ୍ୟ ପରିପୂରଣ ସମ୍ପର୍କରେ ଏକ ସମୀକ୍ଷା ତଥା ପ୍ରସ୍ତୁତି ବୈଠକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥନ୍ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ସ୍ଵଛ ଭାରତ ମିଶନ୍ ର ରାଜ୍ୟ ମିଶନ୍ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକଙ୍କ ସମେତ, ମହାନଗର ନିଗମ ଗୁଡିକର ଉପଆୟୁକ୍ତ, ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ, ପରିମଳ ବିଶେଷଜ୍ଞ ପ୍ରମୁଖ ପଦାଧିକାରୀ ମାନେ ଉପସ୍ତିତ ଥିଲେ ।
ଶତ ପ୍ରତିଶତ ଘର ମାନଙ୍କରୁ ବର୍ଜ୍ୟ ସଂଗ୍ରହ, ସମ୍ପଦ କେନ୍ଦ୍ର ମାନଙ୍କର ସୁପରିଚାଳନା,ବସ୍ତି ଅଞ୍ଚଳରେ ୧୦୦% ମୋ ଶୌଚାଳୟ ନିର୍ମାଣ,ଆକାଂକ୍ଷୀ ଶୌଚାଳୟ ଓ ‘ଲୁ’ ନିର୍ମାଣ ଓ ମୌସୁମୀ ପୂର୍ବରୁ ନଳା ସମୂହରୁ ପଙ୍କୋଦ୍ଧାର ଆଦି ବିଷୟରେ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା। ଓଡ଼ିଶାର ସହରାଞ୍ଚଳ ପରିମଳ ଓ ବର୍ଜ୍ୟ ପରିଚାଳନାରେ ଗୋଷ୍ଠୀ ସହଭାଗିତା ମଡେଲ୍ କୁ ସମସ୍ତ ପୌର ସଂସ୍ଥା ଅଗ୍ରାଧିକାର ଭିତ୍ତିରେ କାର୍ୟ୍ୟକାରୀ କରିବା ପାଇଁ ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥି ଭାଥନନ୍ ନିର୍ଦ୍ଦେଶ ଦେଇଛନ୍ତି ।
ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ସ୍ଵଛ ଭାରତ ମିଶନ୍ ର ରାଜ୍ୟ ମିଶନ୍ ନିର୍ଦ୍ଦେଶକ ଶ୍ରୀ ନାୟକ ସହରାଞ୍ଚଳ ନାଗରିକ ମାନଙ୍କର ଜୀବନ ଧାରଣ ମାନରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିବା ପାଇଁ ସମସ୍ତ ପୌର ସଂସ୍ଥାର କର୍ମଚାରୀ ବୃନ୍ଦ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣି ଦୃଢ କର୍ତ୍ତବ୍ୟ ନିଷ୍ଠା ପ୍ରଦର୍ଶନ ନିମନ୍ତେ ଗୁରୁତ୍ଵ ଆରୋପ କରିଥିଲେ। ବୈଠକରେ ବିଭିନ୍ନ ବିଷୟରେ ଆଲୋକପାତ କରାଯାଇଥିଲା ଯଥା:
୧-ସମସ୍ତ ପୌର ସଂସ୍ଥା ଗୋଷ୍ଠୀ ସହଭାଗିତାକୁ ଭିତ୍ତି କରି ଏପ୍ରିଲ୍ ୨୦୨୩ ରୁ ମାର୍ଚ୍ଚ ୨୦୨୪ ପର୍ୟ୍ୟନ୍ତ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ କୁହାଗଲା।
୨- ପ୍ରତି ଘଋମାନଙ୍କରୁ ବର୍ଜ୍ୟ ସଂଗ୍ରହ ସୁନିଶ୍ଚିତ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ସେମାନଙ୍କ ତ୍ରୁଟି ସମ୍ପର୍କରେ ସଚେତନ କରିବା, ସେମାନଙ୍କୁ ବୁଝାଇବା ସହ ଏ ଦିଗରେ ପ୍ରଶିକ୍ଷିତ କରିବା ପାଇଁ ଗୁରୂତ୍ଵ ଦିଆଗଲା ।
୩-ଗୋଷ୍ଠୀ ସହଭାଗୀ ଓ ଟ୍ୟୁଲିପ୍ ସହଯୋଗୀ ମାନଙ୍କୁ ପ୍ରତି ମାସ ୭ ତାରିଖ ମଧ୍ୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ପୌର ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦିଆଗଲା ।
୪- ବଜାର ଅଞ୍ଚଳ ଓ ଅନ୍ୟ ଲୋକଗହଳି ସ୍ଥାନକୁ ନିୟମିତ ଝାଡ଼ୁ କରିବାକୁ କୁହାଗଲା।
୫- ବସ୍ତି ଅଞ୍ଚଳରେ ‘ମୋ ଶୌଚାଳୟ’ ଓ ଅର୍ବାନ୍ ଓଡ଼ିଶାରେ ଘରୋଇ ଶୌଚାଳୟ ୧୦୦% ନିର୍ମାଣ ପାଇଁ କୁହାଗଲା ।
୬-ସମସ୍ତ ପୌର ସଂସ୍ଥା ମାନଙ୍କରେ ଆକାଂକ୍ଷୀ ଶୌଚାଳୟ (ଅନ୍ତତଃପକ୍ଷେ ମହାନଗର ନିଗମରେ ୧୦ ଟି , ପୌର ସଂସ୍ଥାରେ ୪ଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨ଟି କରି ) ନିର୍ମାଣ ନିମନ୍ତେ କୁହାଗଲା।
୭-ମୌସୁମୀ ଆଗମନ ପୂର୍ବରୁ ସମସ୍ତ ନଳାରୁ ପଙ୍କୋଦ୍ଧାର ନିମନ୍ତେ ପୌର ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ଦ୍ଵାରା ପରିକଳ୍ପିତ ତଥା ଜଟଣୀ ପୌର ସଂସ୍ଥାରେ ପରୀକ୍ଷିତ ଛୋଟ ନଳାରୁ ପଙ୍କୋଦ୍ଧାର ମଡେଲ୍ ଅନୁସରଣ କରିବା ପାଇଁ ପରାମର୍ଶ ଦିଆଗଲା।
୮-ସ୍ୱଚ୍ଛ ସାଥୀ ଓ ସୁପରଭାଇଜର୍ ମାନଙ୍କର ନିୟମିତ ସମୀକ୍ଷା ନିମନ୍ତେ ପୌର ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦିଆଗଲା।
୯- ଏମ୍ .ସି . ସି ଓ ଏମ୍ .ଆର୍.ଏଫ୍ ମାନଙ୍କର ଆବଶ୍ୟକତା ଅନୁଯାୟୀ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଗଲା।
୧୦- ସମ୍ପଦ କେନ୍ଦ୍ର ମାନଙ୍କରେ ଶ୍ରେଡ଼ିଂ ମେସିନ୍ ସହ ଅନ୍ୟ ଯନ୍ତ୍ରପାତି କାର୍ୟ୍ୟକ୍ଷମ ରହିବା ଆବଶ୍ୟକ ବୋଲି କୁହାଗଲା ।
୧୧- ସାଇକଲ୍ ଓ ୟୁନିଫର୍ମ ପାଇନଥିବା ସମସ୍ତ ଗୋଷ୍ଠୀ ସହଭାଗୀଙ୍କୁ ତୁରନ୍ତ ଏସବୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଗଲା । ଆବଶ୍ୟକତା ସ୍ଥଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଗୋଷ୍ଠୀ ସହଭାଗିତା ସେଲ୍ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଗଲା।
୧୨- ମୌସୁମୀ ଆଗମନ ପୂର୍ବରୁ ବିଭିନ୍ନ ବିଭାଗକୁ ସେମାନଙ୍କ ଆବଶ୍ୟକତା ଜଣାଇବା ପାଇଁ ସୂଚିତ କରି ‘ମୋ ଖତ’ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ କୁହାଗଲା।
୧୩-ଏହା ପରିଲକ୍ଷିତ ହେଉଛି ଯେ ବିବରଣୀ ରେ ପ୍ରଦତ୍ତ ତଥ୍ୟ ଓ ପ୍ରକୃତ ପକ୍ଷେ ଉପଲବ୍ଧ ଖତ ମଧ୍ୟରେ ତାରତମ୍ୟ ରହୁଛି । ତେଣୁ ମୋ ଖତ ସ୍ଥିତି ଅନୁଧ୍ୟାନ ନିମନ୍ତେ ‘ଆମ ସାହା’ ଆପ୍ପ୍ ର ସହାୟତାରେ ଯଥାର୍ଥ ଓ ସଠିକ୍ ବିବରଣୀ ପ୍ରଦାନ ନିମନ୍ତେ କୁହାଗଲା।
୧୪- ସ୍ଵଛ ସର୍ବେକ୍ଷଣ ୨୦୨୩ ରେ ଉତ୍ତମ ପ୍ରଦର୍ଶନ ସହ ଉତ୍ତମ ସ୍ଥାନ ହାସଲ ପାଇଁ ସମସ୍ତ ପୌର ସଂସ୍ଥା ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଗଲା।
୧୫- ଏକକ ବ୍ୟବହାର ପ୍ଲାଷ୍ଟିକ୍ ବର୍ଜନକୁ କଡ଼ାକଡ଼ି ଲାଗୁ କରିବାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନିୟମିତ ସହରରେ ବୁଲି ଦେଖିବା ପାଇଁ କୁହାଗଲା।
୧୭- ‘ଗରିମା’ ପ୍ରକଳ୍ପ ଅଧୀନରେ ସମସ୍ତ ପ୍ରମୁଖ ପରିମଳ କର୍ମୀ (ସି.ଏସ୍. ଡବ୍ଲ୍ୟୁ) ମାନଙ୍କୁ ପରିଚୟ ପତ୍ର ପ୍ରଦାନ ସହ ସେମାନଙ୍କ ନିମନ୍ତେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା।