ଓଡ଼ିଆ ନ୍ୟୁଜ୍: ବୋଲଗଡ଼ ବିଡିଓଙ୍କ କାର୍ ଭାଙ୍ଗିଲେ ନିର୍ବାଚିତ ଜନପ୍ରତିନିଧି।ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ନିର୍ବାଚିତ ଜନପ୍ରତିନିଧି।ବ୍ଲକ ଅଫିସରେ ଧସେଇ ପଶିବା ବେଳ ପୋଲିସ ସହ ଠେଲାପେଲା। ୧୦ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି ଅନେକ ନିର୍ବାଚିତ ଜନପ୍ରତିନିଧି।ବିଡିଓ ଅସମ୍ମାନ କରୁଥିବା ଓ ଗଣତନ୍ତ୍ର ଦିବସରେ ଅସହଯୋଗ କରିଥିବା ଅଭିଯୋଗ। ବ୍ଲକ ଅଧ୍ୟକ୍ଷାଙ୍କ ସହ ୧୯ ପଞ୍ଚାୟତର ଜନପ୍ରତିନିଧି ଚଳାଇଛନ୍ତି ଆନ୍ଦୋଳନ।
କିଛି ଦିନ ହେଲା ବୋଲଗଡ଼ ବିଡିଓ ସୁମନସୁଧା କୁଣ୍ଡୁକୁ ନେଇ ବିବାଦ ଲାଗି ରହିଛି। ପଞ୍ଚାୟତ ପ୍ରତିନିଧିଙ୍କ କଥା ଶୁଣୁ ନଥିବା ଏବଂ ମନମାନି କରୁଥିବା ନେଇ ବିଡିଓଙ୍କ ନାଁରେ ଅଭିଯୋଗ ହେଉଥିଲା । ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଆୟୋଜନରେ ଅବ୍ୟବସ୍ଥା ପରେ ବିବାଦ ତୀବ୍ର ରୂପ ନେଇଥିଲା । ଏହାପରଠାରୁ ବିଡ଼ିଓଙ୍କ ବଦଳି ଦାବି ହୋଇ ଆସୁଛି । ନଅ ଦିନ ହେଲା ବିଡ଼ିଓଙ୍କ ବଦଳି ଦାବିରେ ଲୋକେ ଧାରଣା ଦେଉଛନ୍ତି । ଧାରଣାକୁ ସମର୍ଥନ ଦେଇଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ ।
ଗତକାଲି ସାଂସଦ ସୁଲତା ଦେଓ, ଲେଲିନ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । ଭାରତୀୟ ଜନତା ପାର୍ଟିର କିଛି କର୍ମୀ ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଛନ୍ତି । ସେପଟେ ଆଜି ବିଜେପି ନେତା ବିଡିଓଙ୍କ ସମର୍ଥନରେ ବୋଲଗଡରେ ସମନ୍ତରାଳ ଭାବେ ଜନଜାଗରଣ ଶୋଭାଯାତ୍ରା କରୁଛନ୍ତି ।ଯାହାକୁ ନେଇ ବୋଲଗଡ଼ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।