ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଦୁର୍ବ୍ୟବହାର । ପ୍ରାଥମିକ ରିପୋର୍ଟ ଅନୁସାରେ କଙ୍ଗନାଙ୍କୁ ଜଣେ ମହିଳା ଚାପୁଡା ମାରିଛନ୍ତି । ସୂଚନା ମୁତାବକ, ଗତକାଲି ଚଣ୍ଡିଗଡ଼ ବିମାନବନ୍ଦରରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା CISF କନଷ୍ଟେବଲ କୁଲୱିନ୍ଦର କୌର କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା।
ମଣ୍ଡି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହେବା ପରେ କଙ୍ଗନା ଦିଲ୍ଲୀ ଅଭିମୁଖେ ଯିବା ସମୟରେ ଏହି ହଙ୍ଗାମା ହୋଇଥିଲା। କଙ୍ଗନା ପଞ୍ଜାବ ସ୍ଥିତ ମୋହାଲି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରା କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣାର ସାମ୍ନା କରିଛନ୍ତି । ବିମାନରେ ବୋର୍ଡିଂ ପୂର୍ବରୁ ଚେକିଂ ସମୟରେ ସିଆଇଏସଏଫର ମହିଳା କନେଷ୍ଟବଳ ତାଙ୍କୁ ଚାପୁଡା ମାରିଥିବା ସୂଚନା ମିଳିଛି । ଉକ୍ତ ମହିଳାଙ୍କ ନାମ କୁଲୱିନ୍ଦର କୌର ବୋଲି ଜଣାପଡ଼ିଛି । ମହିଳା କର୍ମଚାରୀ ଜଣକ ତାଙ୍କୁ ଚାପୁଡା ମାରିବା ପରେ କଙ୍ଗନାଙ୍କ ସହିତ ଥିବା ମୟଙ୍କ ମାଧୁର କୁଲୱିନ୍ଦରଙ୍କୁ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିବା କୁହାଯାଉଛି । ତେବେ ନବନିର୍ବାଚିତ ସାଂସଦଙ୍କ ଉପରକୁ କୁଲୱିନ୍ଦର କାହିଁକି ହାତ ଉଠାଇବା ପ୍ରଶ୍ନରେ ସେ କହିଛନ୍ତି ଯେ କଙ୍ଗନା ଚାଷୀ ଆନ୍ଦୋଳନ ସମୟରେ ପଞ୍ଜାବର ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।
ଘଟଣାକୁ ନେଇ କଙ୍ଗନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ଥାଉ କି 2024 ଲୋକସଭା ନିର୍ବାଚନରେ କଙ୍ଗନା ଗୃହ ରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ସଦ୍ୟ ସୂଚନା ଅନୁସାରେ ଉକ୍ତ ମହିଳା ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ଡ୍ୟୁଟିରୁ ନିଲମ୍ବନ କରାଯାଇଛି ।