ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଆଜି (ମଙ୍ଗଳବାର) ସକାଳେ ଦିଲ୍ଲୀରୁ ଉତ୍ତରପ୍ରଦେଶର ବାରଣାସୀ ଯାଉଥିବା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଖବର ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଏମର୍ଜେନ୍ସି ଡୋର୍ ଦେଇ ବାହାରକୁ ନିଆଯାଇଛି । ସକାଳ ୫ଟା ୩୫ ମିନିଟରେ ବିମାନରେ ବୋମା ଥିବା ନେଇ ଖବର ମିଳିଥିଲା।
ଇଣ୍ଡୋଗୋ ଫ୍ଲାଇଟ୍ 6E2211 ଆଜି ସକାଳେ ଦିଲ୍ଲୀରୁ ବାରଣାସୀ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲା। ଏହା ପୂର୍ବରୁ ବିମାନରେ ବୋମା ଥିବା ସୂଚନା ମିଳିଲା। ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍ ଦେଇ ସୁରକ୍ଷିତ ଭାବରେ ଓହ୍ଲାଇଯିବାକୁ ସୂଚନା ଦିଆଯାଇଥିଲା। ଏହାଶୁଣି ବିମାନରୁ ଓହ୍ଲାଇବାକୁ ମେନ୍ ଗେଟ୍ ଓ ଏମରଜେନ୍ସି ଗେଟ୍ ନିକଟରେ ପ୍ରବଳ ଭିଡ଼ ଜମିଥିବା ବେଳେ ବହୁ ଯାତ୍ରୀ ଡେଇଁ ତଳକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ କୁଇକ୍ ରିଆକ୍ସନ ଟିମ୍ ପହଞ୍ଚିଥିବା ବେଳେ ବିମାନକୁ ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି।
ବିମାନରେ ବୋମା ଥିବା ନେଇ କିଏ ଧମକ ଦେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏବେ ବି ବିମାନ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ ଯାଞ୍ଚ ଜାରି ରଖିଛି । ତେବେ ବିମାନରେ ବୋମା ଆତଙ୍କ କିଛି ନୂଆ ନୁହେଁ । ପୂର୍ବରୁ ଅନେକ ଥର ଅନେକ ବିମାନରେ ବୋମା ଥିବାର ଧମକ ମିଳେ । ହେଲେ ପରବର୍ତ୍ତୀ ସମୟରେ ପ୍ରତିଥର ଏହା ଗୁଜବ ବୋଲି ଜଣାପଡେ ।