ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ। ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିକଟରେ ଲଗାତାର ଭାବେ ଭାରତୀୟ ବିମାନକୁ ବୋମା ଧମକ ମିଳିବା ପରେ ଦୁଇ ଦିନ ହେବ ପ୍ରସିଦ୍ଧ ହୋଟେଲଗୁଡିକୁ ଏପରି ଧମକପୂର୍ଣ୍ଣ ଇମେଲ୍ କରା ଯାଉଥିଲା।ଆଇଏସ୍ଆଇଏସ୍‌ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବେ ବୋଲି ଏକ ଧମକପୂର୍ଣ୍ଣ ଇମେଲ୍ ପାଠାଇବା ପରେ ମନ୍ଦିର କର୍ତ୍ତୃପକ୍ଷ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ତିରୁପତି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା। ପୁଲିସ୍‌ ମନ୍ଦିର ପରିସରରେ ସର୍ଚ୍ଚ କରି ମଧ୍ୟ କୌଣସି ସେଭଳି ଆପତ୍ତିଜନକ ସାମଗ୍ରୀ ମିଳିଲା ନାହିଁ।  ପୁଲିସର ସୂଚନାନୁସାରେ, ଇସ୍କନ ମନ୍ଦିରର କର୍ମଚାରୀମାନେ ଅକ୍ଟୋବର ୨୭ରେ ଏକ ଇମେଲ ପାଇଥିଲେ, ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ତୁରନ୍ତ ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ବୋମା ନିଷ୍କ୍ରିୟ ସ୍କ୍ୱାଡ୍ ଏବଂ ଡଗ୍ ସ୍କ୍ୱାଡ୍ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ମନ୍ଦିରରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଇଥିଲା।

କିନ୍ତୁ ମନ୍ଦିରରୁ ସେପରି କୌଣସି ବିସ୍ଫୋରକ ସାମଗ୍ରୀ କିମ୍ବା ଅନ୍ୟ ଆପତ୍ତିଜନକ ଜିନିଷ ମିଳି ନାହିଁ।ବିସ୍ଫୋରକ ସାମଗ୍ରୀ ଯାଞ୍ଚ କରିବା ପାଇଁ ସ୍ଥାନୀୟ ପୁଲିସକୁ ବୋମା ସ୍କ୍ବାଡ୍‌ ଏବଂ କୁକୁର ୟୁନିଟ ନେଇ ଯାଇଥିଲା। ତେବେ ମନ୍ଦିର ପରିସରରୁ କୌଣସି ବି ବିସ୍ଫୋରକ କିମ୍ବା ଅନ୍ୟ ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇ ନାହିଁ। ସର୍କଲ ଇନ୍ସପେକ୍ଟର ଶ୍ରୀନିବାସୁଲୁ ଏହି ଖବରକୁ ନିଶ୍ଚିତ କରିଛନ୍ତି। ତେବେ ଏହି ଧମକ ଦେଇଥିବା ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ଉପଯୁକ୍ତ ତଥା ଆବଶ୍ୟକ ପ୍ରୟାସ ଚାଲିଛି ବୋଲି ପୁଲିସ୍‌ ନିଶ୍ଚିତ କରିଛି। ପୂର୍ବରୁ ଅନେକ ଥର ମିଳିଥିବା ଧମକ ପରି ଏହା ବି ମଧ୍ୟ ଏକ ମିଥ୍ୟା ଧମକ ବୋଲି ଜାଣିବାକୁ ମିଳିଛି।

Comments are closed.