ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଅପରାଧୀମାନେ ଆଉ ପୋଲିସକୁ ଖାତିର କରୁନାହାନ୍ତି । ପୋଲିସକୁ ଧକ୍କା ମାରି ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନାହାନ୍ତି । ପୋଲିସ ମଧ୍ୟ ଅପରାଧୀଙ୍କ ନାଲି ଆଖି ଆଗରେ ଲାଙ୍ଗୁଡ ଜାକି ଲୁଚି ଯାଉଛି । ଏହା କେଉଁ ଉପାନ୍ତ ଅଂଚଳ ନୁହେଁ, ବରଂ ଖୋଦ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ମହାବଳଶାଳୀ କମିଶନରେଟ ପୋଲିସକୁ ତଳେ ପକାଇ ଚୋଟ ପରେ ଚୋଟ ମାରି ଚାଲିଲା, ହେଲେ ପୋଲିସ ନିରବ୍ରଦଷ୍ଟା ସାଜିଲା । ଯାହା ପୋଲିସର ପାରିବା ପଣିଆକୁ ପଦାରେ ପକାଇଦେଇଛି ।

ସୂଚନା ଅନୁସାରେ, ସମ୍ପତି ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ବଡୁ ସାହି ଦିପୁନା ଚନ୍ଦ୍ର ଓ ତାଙ୍କ ଭାଇ ମଧ୍ୟରେ ବିବାଦ ଲାଗି ରହିଥିଲା । ସମ୍ପତି ଭାଗ-ବଂଟାକୁ ନେଇ ଆଜି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରି କି ମାରପିଟ ମଧ୍ୟ ଲାଗିଥିଲା । ଏହି ସମୟରେ କେହି ଜଣେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଶ୍ରୀଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଁଚିଥିଲା ।

ପୋଲିସ ଦୁଇ ଭାଇକୁ ଥାନାକୁ ନେଉଥିବା ବେଳେ ସାନଭାଇ ଉତକ୍ଷିପ୍ତ ହୋଇଉଠିଥିଲା । ପୋଲିସକୁ ଧକ୍କା ମାରି ତଳେ ପକାଇ ଦେଇ ଏକ କଟୁରିରେ ବଡ ଭାଇକୁ ଚୋଟ ପରେ ଚୋଟ ପରେ ମାରି ଚାଲିଥିଲେ । ରାସ୍ତା ମଝିରେ ଘଟୁଥିବା ଏଭଳି କାଣ୍ଡକୁ ରୋକିବାକୁ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ୟମ କରିଥିଲେ । ହେଲେ ବିଫଳ ହୋଇଥିଲେ ସାନ ଭାଇର କଟୁରି ଚୋଟରେ ବଡ ଭାଇ ଦିପାନା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

ଏହିପରି କି ଦିପୁନାକୁ ରକ୍ଷା କରୁଥିବା ବେଳେ ଜଣେ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲା । ଆକ୍ରମଣରେ ବଡ଼ ଭାଇ ଦିପୁନା ଚନ୍ଦ୍ର ଓ କମଳା ଆହତ ହୋଇଛନ୍ତି । ପରିସ୍ଥିତି ଅଣଆୟତ ହେବାରୁ ଅଧିକ ପୋଲିସ ଘଟଣାସ୍ଥଳରେ ପହଁଚି ଆକ୍ରମଣକାରୀକୁ କାବୁ କରି ହେପାଜତକୁ ନେଇଛନ୍ତି । ସେହିପରି ଗୁରୁତର ଅବସ୍ଥାରେ ଦିପୁନାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଦୀପନାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ କରୁଛି ।