ଡିସେମ୍ବର ପହିଲାରୁ ବସ ଧର୍ମଘଟ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ୫ ଦଫା ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି। ବୁଧବାର ଭବାନୀପାଟଣାସ୍ଥିତ ଏସ୍‌ଏନ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏସବୁ ଦାବିକୁ ନେଇ ଆସନ୍ତା ୨୨ ତାରିଖ ଦିନ ଭୁବନେଶ୍ଵରରେ ସଂଘର ଏକ ବିରାଟ ସମାବେଶ ହେବ। ଆବଶ୍ୟକ ସ୍ଥଳେ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଲକ୍ଷ୍ମୀ ବସ୍‌ ଯୋଜନା ଆାରମ୍ଭ କରିବା ପୂର୍ବରୁ ଘରୋଇ ବସ୍‌ ମାଲିକଙ୍କ ଦ୍ବାରା ପରିଚାଳିତ ଯାତ୍ରୀବାହୀ ସେବାକୁ ନେଇ ବିବାଦ ଦେଖାଯାଇଛି।ବ୍ଲକ୍‌ ମୁଖ୍ୟାଳୟରୁ ଜିଲ୍ଲା ସଦର ମହକୁମାକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ଗତମାସ ୨୦ ତାରିଖରେ ବସ୍‌ ଚଳାଚଳ ବନ୍ଦ ରଖିଥିଲା। ଫଳରେ ରାଜ୍ୟବ୍ୟାପି ଲୋକେ ଯିବାଆସିବାରେ ବହୁ ଅସୁବିଧାର ସାମ୍ନା କରିଥିଲେ। କିନ୍ତୁ ବ୍ଲକ୍‌ରୁ ଜିଲ୍ଲା ସଦର ମହକୁମାକୁ ବସ୍ ଚଳାଚଳ କରାଯିବ ନାହିଁ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଘ‌ରୋଇ ବସ୍ ମାଲିକ ସଂଘ ଆନ୍ଦୋଳରୁ ଓହରି ଯାଇଥିଲା।

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ରାଜ୍ୟ ଉପସଭାପତି ଶ୍ରୀକାନ୍ତ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, କଳାହାଣ୍ଡି ବସ୍ ମାଲିକ ସଂଘ ସଭାପତି ପ୍ରବୋଧ ରଥ, ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବସ୍ ମାଲିକ ସଂଘ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.