ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଉପନିର୍ବାଚନ ପାଇଁ ପ୍ରମୁଖ ୩ଟି ଦଳ ସମେତ ୧୧ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଧାୟକ ପ୍ରଦୀପ ପୁରୋହିତ, କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ଓଡ଼ିଶା ଜନତା ପାର୍ଟି (ଓଜେପି) ତରଫରୁ ମୁକ୍ତେଶ୍ବର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉପନିର୍ବାଚନ ପାଇଁ ଜୟନ୍ତ ଥପା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ ଓ ବିଦ୍ୟାଧର ପାଣ୍ଡେ ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଛି । ପଦ୍ମପୁର ଉପନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପିର ପ୍ରାର୍ଥୀଭାବେ ପ୍ରଦୀପ ପୁରୋହିତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କର ପ୍ରାର୍ଥୀପତ୍ର ଦାଖଲ ସମୟରେ ଦଳର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରଗଡ ସାଂସଦ ସୁରେଶ ପୂଜାରୀ, କେଭି ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉ କି, ଚାଷୀ ଆନ୍ଦୋଳନ ଓ ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନକାରୀମାନଙ୍କୁ ସମର୍ଥନ ଜଣାଇ ଗତ ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିନଥିଲେ ପ୍ରଦୀପ ପୁରୋହିତ । ଆଜି କଂଗ୍ରେସ ଓ ବିଜେଡି ଉଭୟ ମନୋନୟନ ପତ୍ର ଦାଖଲ କରିବାରୁ ବିଜେପି ଶେଷରେ ଏହି ଉପନିର୍ବାଚନରେ ଭାଗ ନେଲା । ଚାଷୀଙ୍କ ପ୍ରତି ବିଜୁ ଜନତା ଦଳର ଅବହେଳା, ପଦ୍ମପୁରବାସୀଙ୍କ ପ୍ରତି ରାଜ୍ୟ ସରକାର କରିଥିବା କ୍ରମାଗତ ପାତରଅନ୍ତର ବିଷୟ ହେବ ବିଜେପିର ମୁଖ୍ୟ ପ୍ରସଙ୍ଗ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୯୮୫ ମସିହାରୁ ଗଦ୍ଧମାର୍ଦ୍ଦନ ବଂଚାଅ ଆନ୍ଦୋଳନରୁ ନିଜର ସାମାଜିକ ଜୀବନ ଆରମ୍ଭ କରିଥିଲେ । ପଦ୍ମପୁର ଚାଷୀ ସମସ୍ୟା, କେନ୍ଦୁପତ୍ର ତୋଳାଳିଙ୍କର ସମସ୍ୟାର ସମାଧାନ ପାଇଁ ରାଜରାସ୍ତାରୁ ନେଇ ବିଧାନସଭା ପର୍ଯ୍ୟନ୍ତ ସବୁଠି ଲଢ଼ିଛନ୍ତି ପ୍ରଦୀପ ପୁରୋହିତ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
(ବିଜେପି ମିଡିଆ ସେଲ୍)