ଓଡିଆ ନ୍ୟୁଜ୍(ବ୍ୟୁରୋ): ଖୁବଶୀଘ୍ର ରାଜଧାନୀବାସୀଙ୍କୁ ମିଳିବ 24ଘଣ୍ଟା ସୁଦ୍ଧ ପାନୀୟ ଜଳ। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ବା BSCL ସ୍ମାର୍ଟସିଟି ମିଶନ ଜରିଆରେ ଖର୍ଚ୍ଚ କରିବ 20କୋଟି। ଏହି ବିଶୁଦ୍ଧ ଜଳକୁ ବିନା ଗରମ କିମ୍ବା ଛାଣି ସିଧାସଳଖ ପାଇପରୁ ପିଇ ପାରିବେ। ଡ୍ରିଙ୍କ ଫ୍ରମ ଟେପ ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ସହରର ସହିଦନଗର, ସତ୍ୟନଗର, ଖାରବେଳ ନଗର, ବାପୁଜୀ ନଗର ଓ ଅଶୋକ ନଗରରେ କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ପ୍ଲାଷ୍ଟିକ ବୋତଲର ଵ୍ୟଵହାର ହ୍ରାସ ପାଇବା ସହିତ ପ୍ରଦୂଷଣ ନିୟନ୍ତ୍ରଣରେ ସହାୟକ ହେବ। ଏହି ପ୍ରକଳ୍ପରେ ମୋଟ 35କୋଟି ବିନିଯୋଗ କରାଯିବ।
ସ୍ମାର୍ଟସିଟିର ଏହି ପ୍ରକଳ୍ପକୁ ୱାଟକୋ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଏଥିପାଇଁ BSCL ପକ୍ଷରୁ 10କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି।ଏହି ସୁବିଧା ଲଣ୍ଡନ, ନ୍ୟୁୟର୍କ ଓ ସିଙ୍ଗାପୁର ଭଳି ବିଶ୍ୱସ୍ତରୀୟ ସହରରେ ଉପଲବ୍ଧ ଥିବା ବେଳେ ଓଡ଼ିଶାରେ ପ୍ରଥମ ସହର ଭାବେ ପୁରୀରେ କାର୍ଯ୍ୟକ୍ଷମ ହୋଇଛି। ବର୍ତ୍ତମାନ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ସହର ଭାବେ ଏହି ଯୋଜନାରେ ସାମିଲ ହେବାକୁ ଯାଉଛି। ଏହାଦ୍ୱାରା ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ରରୁ 400ଟନ ପ୍ଲାଷ୍ଟିକ ବର୍ଜ୍ୟକୁ ରୋକିବାରେ ସହାୟକ ହେବ। ଏଣୁ ଏଥିପାଇଁ ରାଜଧାନିବାସୀଙ୍କ ସହଯୋଗ କାମନା କରିଛନ୍ତି ବିଏମସି କମିଶନର ତଥା BSCLର CEO ସଞ୍ଜୟ କୁମାର ସିଂହ।