ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ସିବିଆଇ ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ ଓ ରାବଡି ଦେବୀଙ୍କ ସମେତ ୧୭ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ରେଳବାଇରେ ଜମି ନେଇ ଗ୍ରୁପ୍ ଡିରେ ଚାକିରି ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୦୨୧ରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା ।
ଅଭିଯୋଗ ହୋଇଥିଲା ଯେ ପାଟନାର ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିଲା ଏବଂ ଚାକିରି ବଦଳରେ ଜମି ନିଆଯାଇଥିଲା । ସେଥିମଧ୍ୟରୁ ଅନେକ ଜମି ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ ହସ୍ତାନ୍ତର କରାଯାଇଥିଲା । ଜୁଲାଇ ୧୨ରେ ଏହି ମାମଲାର ଶୁଣାଣି ହେବ। ୨୦୦୬-୦୭ ମସିହାରେ ଏକେ ଇନଫୋସିଷ୍ଟମ ନାମକ କମ୍ପାନି ପକ୍ଷରୁ ୬-୭ଟି ଜମି ପଂଜୀକରଣ କରାଯାଇଥିଲା । ରେଜିଷ୍ଟ୍ରିରେ ଜମିର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ଦର୍ଶାଇଥିବା ବେଳେ ସେଗୁଡ଼ିକର ବଜାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ଥିଲା। ଚାକିରି ବଦଳରେ ଜମି ମାମଲାରେ ସିବିଆଇ ଦୁଇଟି ଏଫଆଇଆର ଦାଖଲ କରିଥିଲା, ପ୍ରଥମ ଏଫଆଇଆରରେ ଲାଲୁ ପ୍ରସାଦ ଯାଦବ ଓ ରାବଡି ଦେବୀଙ୍କ ସମେତ ଅନେକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇସାରିଛି । ପରେ ସିବିଆଇ ଦ୍ୱାରା ଦାୟର ଦ୍ୱିତୀୟ ଏଫଆଇଆରରେ ତେଜସ୍ୱୀ ଯାଦବଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ କରାଯାଇଛି ।