ଓଡିଶା ପାଇଁ କେନ୍ଦ୍ର ସରକାରଙ୍କର ଫୁଡ ସବସିଡ, ଧାନ କିଣା ଲକ୍ଷ୍ୟ ବର୍ଷକୁ ବର୍ଷ ବଢୁଛି, ୨୦ ଦିନ ହେଲାଣି ଯୋଗାଣ ବିଭାଗର ଏମଡିଙ୍କର ପତା ନାହିଁ: ବସନ୍ତ ପଣ୍ଡା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ମାନ୍ୟବର ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଓ ଓଡିଶାରେ ଧାନ ବିକ୍ରି ଅବ୍ୟବସ୍ଥାରୁ ନଜର ହଟାଇବା ପାଇଁ ବିିଜୁ ଜନତା ଦଳ ପ୍ରତିଦିନ ନୁଆ ନୁଆ ମିଛ ଅଭିଯୋଗ କରୁଛି । ରାଜ୍ୟ ସରକାରଙ୍କର ଧାନ କିଣା ବ୍ୟବସ୍ଥାର ନୋଡାଲ ଏଜେନ୍ସି ହେଉଛି ରାଜ୍ୟ ଯୋଗାଣ ନିଗମ । କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପିଛା ୨୦୪୦ ଟଙ୍କା ହିସାବରେ ଧାନ କିଣା ଅର୍ଥ ରାଜ୍ୟ ସରକାରଙ୍କୁ ଦିଅନ୍ତି । ରାଜ୍ୟ ସରକାର ଧାନ କିଣା ପ୍ରକ୍ରିୟାକୁ ଯୋଗାଣ ବିଭାଗ ମାଧ୍ୟମରେ କ୍ରିୟାନୟନ କରନ୍ତି । ଏବେ ୨୦ ଦିନ ହେଲାଣି ଯୋଗାଣ ବିଭାଗର ଏମଡିଙ୍କର ପତା ନାହିଁ । ଚାଷୀମାନଙ୍କୁ ୪୮ ଘଂଟା ଭିତରେ ଅର୍ଥ ଦେବାର ଘୋଷଣା କରିଥିଲା ବେଳେ ଏକ ମାସ ପରେ ବି ଚାଷୀମାନଙ୍କୁ ଧାନ କିଣା ଅର୍ଥ ଓଡିଶାରେ ମିଳିପାରୁନି ।
ଚାଷୀମାନେ ଏବେ ଘୋର ହତାଶରେ ଯେ ସେମାନଙ୍କୁ ଧାନ କିଣା ଅର୍ଥ ମିଳିବ କି ନାହିଁ ? ଏସବୁ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜୁ ଜନତା ଦଳର ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ଫୁଡ ସବସିଡ ଓ ଧାନ କିଣାକୁ ନେଇ ଗୁଡିଏ ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କ ଆକ୍ରୋଶରୁ ନିଜ ଦଳକୁ ବଂଚାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ ୨୦୧୩ ମସିହାରେ ଓଡିଶାକୁ ଫୁଡ ସବସିଡ ଆକାରରେ ମିଳୁଥିଲା ୩୦୪୧ କୋଟି ଟଙ୍କା । ଏବେ ମିଳୁଛି ୮୪୦୦ କୋଟି ଟଙ୍କା । ଏହା ବାଦ ପୁଣି ଧାନ କିଣା ଅର୍ଥ ଅଲଗା ମିଳୁଛି । ସାରା ଦେଶ ପାଇଁ ୨୦୧୩ ମସିହାରେ ମୋଟ ଫୁଡ ସବସିଡ ଥିଲା ୯୦ ହଜାର କୋଟି । ଏବେ ଦେଶର ମୋଟ ଫୁଡ ସବସିଡ ବଜେଟ ହେଉଛି ୧ ଲକ୍ଷ ୯୭ ହଜାର କୋଟି । ପ୍ରସନ୍ନ ଆଚାର୍ଯ୍ୟ ବାବୁ ଗଣିତ କଷି କୁହନ୍ତୁ ଫୁଡ ସବସିଡ କମିଲା କି ବଢିଲା ?
ଓଡିଶାର ଚାଷୀ ମାନଙ୍କ ପାଖରୁ କେନ୍ଦ୍ର ସରକାର ୨୦୦୯ ରୁ ୨୦୧୪ ଆର୍ଥିକ ବର୍ଷ ମଧ୍ୟରେ ୧୪.୨୬ ମିଲିୟନ ମେଟ୍ରିକ ଟନ ଧାନ କିଣିଛନ୍ତି । ମାତ୍ର ମୋଦି ସରକାରଙ୍କ ସମୟରେ ଓଡିଶାରେ ଆର୍ଥିକ ବର୍ଷ ୨୦୧୪ ରୁ ୨୦୨୨ ମଧ୍ୟରେ ୩୬.୮୬ ମିଲିୟନ ମେଟ୍ରିକ୍ ଟନର ଧାନ କିଣାଯାଇଛି । ୨୦୧୩-୧୪ ଆର୍ôଥକ ବର୍ଷରେ ଧାନର ଏମଏସପି କ୍ୱିଟାଂଲ ପ୍ରତି ୧୩୧୦ ଟଙ୍କା ଥିଲା ବର୍ତମାନ ଧାନର ଏମଏସପି କ୍ୱିଂଟାଲ ହେଉଛି ୨୦୪୦ ଟଙ୍କା । ଏହା କଣ ପ୍ରସନ୍ନ ବାବୁଙ୍କୁ ଜଣା ନାହିଁ କି? ଯଦି ବିଜୁ ଜନତା ଦଳ ଚାହୁଁଛି ଧାନ କ୍ୱିଂଟାଲ ପିଛା ୨୯୩୦ ଟଙ୍କା ହେଉ ବୋଲି ତାହେଲେ ବାକି ଅର୍ଥ ରାଜ୍ୟ ସରକାର ନିଜ ବଜେଟରୁ ଚାଷୀମାନଙ୍କୁ ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାମର୍ଶ ଦେଇଛନ୍ତି ।
ଓଡିଶାରେ ଧାନମଣ୍ଡିରେ କଟ୍ନୀ ଛଟନୀ, ମିଲରଙ୍କ ଚାଷୀମାରଣ ନୀତି ପାଇଁ ଓଡ଼ିଶାରେ ଧାନ କିଣା ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ । ବିଭିନ୍ନ ରାଜ୍ୟମାନେ ନିଜ ବଜେଟ୍ରେ ଚାଷୀମାନଙ୍କୁ ଧାନ କ୍ୱିଂଟାଲ ପିଛା ୧୦୦ ରୁ ୧୦୦୦ଟଙ୍କା ବୋନସ ଦେଉଥିବାବେଳେ ଓଡ଼ିଶା ସରକାର କାହିଁକି ଟଙ୍କାଟିଏ ବି ବୋନସ ଦେଉନାହାନ୍ତି ଏହାର ଜବାବ୍ ବିଜୁ ଜନତା ଦଳ ଦେଉ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଓଡିଶାରେ ବର୍ଷ ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ୨୦,୨୭୨.୩୩ ଟନ ଡାଲି କିଣାଯାଇଛି ଏବଂ ଏହାର ଏମଏସପି କ୍ୱିଂଟାଲ ପ୍ରତି ୬୨୭୧.୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବର୍ଷ ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ଓଡ଼ିଶା ଚାଷୀଙ୍କ ଠାରୁ ୧୨,୯୫୭.୬୩ ଟନ ତୈଳଜାତ ସାମଗ୍ରୀ ଭାରତ ସରକାର କିଣିଛନ୍ତି ଓ ଏହାର ଏମଏସପି କ୍ୱିଟାଲ ପ୍ରତି ୪୩୫୧.୮୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ଏବେ ପ୍ରସନ୍ନ ବାବୁ ଜବାବ ଦିଅନ୍ତୁ ଯେ ତାଙ୍କ ଦଳର ସରକାର କ୍ରମାଗତ ୨୩ ବର୍ଷ ଧରି କ୍ଷମତା ରହିବା ପରେ ବି କାହିଁକି ଚାଷୀଙ୍କ ଆୟ ଓଡିଶାରେ ସବୁଠାରୁ କମ୍ । କାହିଁକି ମୁଖ୍ୟମନ୍ତ୍ରୀ ୨୦୧୩ ଓ ୨୦୧୬ରେ ଘୋଷଣା କରିଥିବା ୧୦୦ ଟଙ୍କାର ବୋନସ ଦେଲେ ନାହିଁ ତାହାର ଜବାବ ଦିଅନ୍ତୁ । ପଶ୍ଚିମ ଓଡିଶାରେ ଚାଷୀମାନେ ନରେନ୍ଦ୍ର ମୋଦିଙ୍କ ଉପରେ ଭରଷା କରି ସମସ୍ତ ଲୋକସଭାରେ ବିଜେପିକୁ ଜିତାଇଥିଲେ । ସେଥିପାଇଁ ଭାରି କଷ୍ଟ ପାଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେଥିପାଇଁ ସେ ଏଭଳି ମିଛ କଥା କହୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।