ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ଫେରିଲା ଓଡିଆ ଶ୍ରମିକଙ୍କ ମୃତଦେହ। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାହାପୁର ଗାଁର ମୁରଲୀଧର ମହାକୁଡ କିଛି ଦିନ ହେବ ନିଜ ଗାଁ ଛାଡି ଯାଇ ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳ ପ୍ରାୟ ୮ଟା ବେଳେ ମୃତଶରୀର ପହଞ୍ଚିବା ପରେ ମୁରଲୀଧର ଅନ୍ତିମସଂସ୍କାର ମଧ୍ୟ ସଂପନ୍ନ ହୋଇଛି। ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ମୁରଲୀଧରଙ୍କ ପତ୍ନୀ ଓ ଝିଅଙ୍କ ସହିତ ଫୋନରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇ କହିଲେ ‘ ଏଇଟା ଘଡ଼ିସନ୍ଧି ମୁହୂର୍ତ୍ତ। ମୁଁ ବୁଝିପାରୁଛି ଆପଣଙ୍କ ଅବସ୍ଥା।
ମନେ ରଖନ୍ତୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ସହିତ ଅଛନ୍ତି। ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କ ସହିତ ଅଛି’। ଆପଣଙ୍କ ଝିଅର ପାଠପଢ଼ା ଦାୟିତ୍ବ ନେବେ ସରକାର। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ମୁରଲୀଧର ମହାକୁଡଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧୀନ ସାହାପୁର ଗ୍ରାମର ମୁରଲୀଧର ମହାକୁଡ଼ ଦୀର୍ଘବର୍ଷ ହେବ ମୁମ୍ବାଇରେ ଏକ ହୋଟେଲରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ସେ ମୁମ୍ବାଇରେ ମେଡିକାଲରେ ଚିକିତ୍ସା ହେଉଥିବା ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଗୁହାରି ଶୁଣିଛନ୍ତି।
ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ମୃତ ମୁରଲୀଧର ମହାକୁଡଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିକୁ ଫେରିଆସିଛି। ଏପରିକି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୁରଲୀଧରଙ୍କ ପତ୍ନୀ ଏବଂ ତାଙ୍କ ଝିଅଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଥିଲେ।