ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡି ବାସୀଙ୍କୁ ବସ ଟର୍ମିନାଲ ଓ ମେଡିକାଲ କଲେଜ ଉପହାର ମିଳିବ । ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। କଳାହାଣ୍ଡି ବିକାଶ କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ନୂଆ ଫର୍ଦ୍ଦ ।
ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧.୩୦ମି.ରେ ସରକାରୀ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବେ। ମେଡିକାଲ କଲେଜର ଅଡିଟୋରିୟମ୍ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉଭୟ ୧୧.୪୧ମି.ରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜକୁ ଉଦ୍ଘାଟନ କରିବେ। ଗସ୍ତ କାଳରେ ପ୍ରାୟ ୧୨୦୦ କୋଟି ଟଙ୍କାର ବୃହତ୍ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ମୀ ବସ୍ରେ ମୁଖ୍ୟମନ୍ତ୍ରୀ ଗୁଡ଼ିଆଳି ପଞ୍ଚାୟତର ବଳରାମପୁରକୁ ଯାଇ ବସ୍ଷ୍ଟପ୍ର ଉଦ୍ଘାଟନ କରିବେ।
ସେଠାରୁ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯିବା କାର୍ଯ୍ୟକ୍ରମ ରହିଛି।ଶେଷରେ କଳାହାଣ୍ଡି ଗସ୍ତ ସମାପ୍ତ କରିବେ ମୁଖ୍ୟମନ୍ତ୍ରୀ । ଉତ୍କେଲା ବିମାନବନ୍ଦରରୁ ୧ ଟା ୩୫ ମିନିଟରେ ଭୁବନେଶ୍ୱର ଅଭିମୁଖେ ଉଡାଣ ଭରିବେ ।