ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି, ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି: ମୁଖ୍ୟମନ୍ତ୍ରୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ମାନବସମ୍ବଳ ବଢାଇବାକୁ ପ୍ରାଥମିକତା ଦିଆଯାଇଛି । ଖୁବ୍‌ଶୀଘ୍ର ପୋଲିସ ଓ ଅଗ୍ନିଶମ ବିଭାଗରେ ଖାଲି ଥିବା ୧୭୩୦ ଏସଆଇ ଓ ଏଏସଆଇ ପଦବୀ ପୂରଣ ହେବ । ସାଇବର କ୍ରାଇମ ରୋକିବା ପାଇଁ ରାଜ୍ୟରେ ଖୋଲିଛି ୧୫ଟି ସାଇବର ଓ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନ । ରାଜ୍ୟର ସବୁ ଥାନା ମୋ ସରକାର ଅଧୀନରେ ରହିଛି । ସିସିଟିଭି ସର୍ଭେଲାନ୍ସରେ ରହିଛି ରାଜ୍ୟର ସବୁ ଥାନା । ୫୯୩ରୁ ୫୮୪ଟି ଥାନାରେ ସିସିଟିଭି ଲାଗିଛି । ପଞ୍ଚାୟତ, ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୨୧ରେ ହତ୍ୟା,ଲୁଣ୍ଠନ ଓ ଠକେଇ ହ୍ରାସ ପାଇଥିବା ବେଳେ ସିନ୍ଧି ଚୋରି ବୃଦ୍ଧି ପାଇଛି। ଏହା ସହ ରାଜ୍ୟ ମାଓ ହିଂସା ହ୍ରାସ ପାଇଛି। ମାଓ ପ୍ରଭାବିତ 10ଟି ଜିଲାରେ ବିକାଶ ତ୍ୱରାନ୍ୱିତ ହୋଇଛି। ଗତବର୍ଷ 21 ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ପୋଲିସ ଓ ମାଓ ଗୁଳିବିନିମୟ ରେ 7 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରୁ ଏହା ସାମ୍ନାକୁ ଆସିଛି। ସେପଟେ ବିରୋଧୀ କହିଛନ୍ତି,ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଛି। 2020 ତୁଳନାରେ 2021ରେ ଏ ମାମଲା ମଧ୍ୟ ବଢିଛି। ସାମଗ୍ରିକ ଭାବେ ରାଜ୍ୟର ଅପରାଧିକ ହାର ବଢିଛି।

ଆଜି ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଶ୍ୱେତ ବିଭାଗର ଏ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରେ ସରକାର ତଥ୍ୟ ଲୁଚାଇଛନ୍ତି। ଦୁଷ୍କର୍ମ ଭଳି ଧର୍ତ୍ତଵ୍ୟ ଅପରାଧ ବଢ଼ି ଚାଲିଛି। ଦିନକୁ 9ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ନିଖୋଜ ଘଟଣା ବଢ଼ି ବଢ଼ି ଚାଲିଛି, ତାକୁ ରାଜ୍ୟ ସରକାର ଶ୍ୱେତପତ୍ରରେ ଉଲ୍ଲେଖ କରିନାହାନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। ସେହିପରି ବିଜେପି କହିଛି,ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡିଛି। ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ରାଜ୍ୟ ସରକାରଙ୍କ ହାର ଚିନ୍ତାଜନକ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଯିଏ ବି ଦୋଷୀ ହେଇଥାଉ ନା କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟରେ ଦଣ୍ଡବିଧାନ ହାର ମଧ୍ୟ ଭଲ ରହିଛି ବୋଲି ଶାସକ ଦଳ କହିଛି।

Leave A Reply

Your email address will not be published.