ଆଧାର ବ୍ୟବହାର ସଂପ୍ରସାରଣ କର୍ମଶାଳା:ଉଦଘାଟନ କଲେ ମୁଖ୍ୟଶାସନ ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଉତ୍ତମ ପ୍ରଶାସନ ଦିଗରେ ଅନ୍ୟଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଧାର ବ୍ୟବହାର ସଂପ୍ରସାରଣ ସମ୍ବନ୍ଧିତ କର୍ମଶାଳା ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାର ଏବଂ ଭାରତର ଏକକ ପରିଚୟ କର୍ତ୍ତୁପକ୍ଷକଙ୍କ ମିଳିତ ସହଯୋଗିତାରେ ରାଜ୍ୟ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆଜି ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଆଧାର ନମ୍ବର ବ୍ୟବହାରର ସରଳୀକରଣ ନାଗରିକମାନଙ୍କ ଜୀବନ ଧାରାକୁ ସହଜ କରିବା ସହିତ ବିଭିନ୍ନ ପ୍ରକାର ସାଧାରଣ ସେବା ପ୍ରଦାନକୁ ଅଧିକ ତ୍ୱରାନ୍ୱିତ କରିବ । ଏହାର ବ୍ୟବହାର ଦ୍ୱାରା ବହୁ ସଂଙ୍ଖ୍ୟକ ଲୋକଙ୍କୁ ଏକ ସମୟରେ ସଠିକ୍ ଓ ସମୟାନୁବନ୍ଧିତ ସେବା ଯୋଗାଯାଇ ପାରିବ । ସକ୍ରିୟ ଅଂଶଗ୍ରହଣ ପୂର୍ବକ ବିଭିନ୍ନ ସେବା ପ୍ରଦାନ ସହ ଆଧାର ସଂଯୋଗୀକରଣ ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ କରିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଆଧାରରେ ସନ୍ନିବଶିତ ତଥ୍ୟ ଏବଂ ବାଇଓମେଟ୍ରିକ୍ ଛାପ ଆଦିକୁ ନିୟମିତ ସମୟ ବ୍ୟବଧାନରେ ଅପ୍ଡେଟ୍ କରିବା ପାଇଁ ମଧ୍ୟ ଆଧାର କର୍ତ୍ତୁପକ୍ଷକଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଏହାଦ୍ୱାରା ତଥ୍ୟଭିତ୍ତି ସଦ୍ୟତନ ରହିବ ଏବଂ ଆଧାର ନମ୍ବର ମାଧ୍ୟମରେ ନାଗରିକ ଚିହ୍ନଟକରଣ ସଠିକ୍ ହେବ । ବିଶେଷତଃ ଛୋଟ ପିଲାମାନଙ୍କ ନାମରେ ହୋଇଥିବା ବାଇମେଟ୍ରିକ୍ର ନିୟମିତ ସମୟାନ୍ତରରେ ସଦ୍ୟତନ ଦେବାର ଆବଶ୍ୟକତା ଅଧିକ । ନବଜାତ ଶିଶୁ ଏବଂ ଆଧାର କେନ୍ଦ୍ରକୁ ଆସି ପାରିନଥିବା ଦିବ୍ୟାଙ୍ଗ ବା ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କ ଆଧାର ପଞ୍ଜୀକରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ଗ୍ରାମ, ୱାର୍ଡ଼, ଗ୍ରାମ ପଞ୍ଚାୟତ ଆଦି ସ୍ତରରେ କାର୍ଯ୍ୟ କରୁଥିବା ‘ମୋ ସେବା କେନ୍ଦ୍ର’ ଗୁଡିକରେ ଆଧାର ପଞ୍ଚୀକରଣ ଏବଂ ସଂଶୋଧନ ସମ୍ବନ୍ଧିତ ସେବା ଯୋଗାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ଆଧାର କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାହେଲେ ଦୂରଦୂରାନ୍ତ ସ୍ଥିତ ଗ୍ରାମରେ ରହୁଥିବା ଲୋକମାନେ ମଧ୍ୟ ଆଧାର ସେବା ପାଇପାରିବେ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଂଚଳରେ ୫୯୨୩ ଟି ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଏହି କେନ୍ଦ୍ରଗୁଡିକର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି ଏବଂ ଅଧିକରୁ ଅଧିକ ଲୋକ ଏହି କେନ୍ଦ୍ର ମାଧ୍ୟମରେ ଅନ୍ଲାଇନ୍ ସରକାରୀ ସେବା ପାଇପାରୁଛନ୍ତି ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଖାଦ୍ୟ ଯୋଗାଣ ଯୋଜନା, କାଳିଆ ଭଳି କୃଷକ କଲ୍ୟାଣ ଯୋଜନା, ବିଭିନ୍ନ ପ୍ରକାର ଭତ୍ତା ପ୍ରଦାନ, ଛାତ୍ର ବୃତ୍ତି ମଞ୍ଜୁର ଓ ପ୍ରଦାନ ଆଦିରେ ଆଧାର ନମ୍ବର ବ୍ୟବହାର ଉତ୍ସାହଜନକ ଫଳାଫଳ ହୋଇଛି । ଏହା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଏବଂ ସଠିକ୍ କରିଛି । ସ୍ୱାର୍ଥନ୍ୱଷୀ ମଧ୍ୟବର୍ତ୍ତୀ ଲୋକକମାନଙ୍କୁ ପ୍ରକ୍ରିୟାରୁ ବାଦ ଦେଇଛି । ଆଧାର କାର୍ଡର ପ୍ରୟୋଜନୀୟତା ବିଷୟରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ପାଇଁ ଶ୍ରୀ ମହାପାତ୍ର ଆଧାର କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଆଧାର କର୍ତ୍ତୁପକ୍ଷକଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସୌରଭ ଗର୍ଗ କହିଥିଲେ ଯେ ଆଧାର ନମ୍ବର ବ୍ୟବହାରରେ ଓଡ଼ିଶା ଏକ ଅଗ୍ରଦୃତ ରାଜ୍ୟ । ୧୮ ରୁ ଉର୍ଦ୍ଧ ଜନସଂଙ୍ଖ୍ୟାର ପଞ୍ଜୀକରଣ ଶତ ପ୍ରତିଶତ ପାଖାପାଖି ପହଞ୍ଚିଛି । ଆଧାର ନମ୍ବର ଆର୍ଥିକ ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ଏକ ଚାବିକାଠି ବୋଲି ଡ଼ଃ ଗର୍ଗ କହିଥିଲେ । ଆଧାରର ବ୍ୟବହାର ଓ ପଞ୍ଜୀକରଣ ଆଦି କାର୍ଯ୍ୟର ସଠିକ୍ ପରିଚାଳନା ନିମନ୍ତେ ଶିଘ୍ର ଜିଲ୍ଲାସ୍ତରୀୟ କମିଟିମାନ ଗଠନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।

କର୍ମଶାଳାଟି ୩ ଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା । ଉଦ୍ଘାଟନୀ ପର୍ଯ୍ୟାୟରେ କର୍ମଶାଳାର ଉଦ୍ଦେଶ୍ୟ ଏବଂ ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ବୈଷୟିକ ପର୍ଯ୍ୟାୟରେ ଆଧାର ବ୍ୟବହାର ବୃଦ୍ଧି ନିମନ୍ତେ ନୂତନ ପ୍ରଚେଷ୍ଟା, ଆଧାର ଏବଂ ଇ-ଗଭର୍ନାନ୍ସ୍, ରାଜ୍ୟରେ ଆଧାରର ପ୍ରୟୋଗ, ସର୍ବୋତ୍ତମ ପ୍ରାମାଣିତ ପଦ୍ଧତି, ହିତାଧିକାରୀମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ ଆଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଉଦ୍ଯାପନୀ ପର୍ଯ୍ୟାୟ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅନ୍ତର୍ଭୁକ୍ତିକରଣ ପାଇଁ ଆଧାର ବ୍ୟବହାରର ଏକ ଫଳଦାୟୀ ଉପାୟ ବୋଲି ଶ୍ରୀ ଜେନା କହିଥିଲେ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ କ୍ଷେତ୍ରସ୍ତରରେ ଏକ ଆଧାର ବ୍ୟବହାର ଉପଯୋଗୀ ବାତାବରଣ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଧାର କର୍ତ୍ତୁପକ୍ଷଙ୍କ ତରଫରୁ ପି.ସଙ୍ଗିଥା, ଅମିତ ଭାଗର୍ଭ, ସୁମେଶ ଯୋଗୀ, ସୁଦ୍ଧିପ୍ତ ନାୟକ, ଅଂଶୁମାନ କାମିଲା, ଏବଂ ଡ଼ି.ଭାସ୍କର ରାଓ ପ୍ରମୁଖ ବିଶେଷଜ୍ଞମାନେ ଉପରୋକ୍ତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.