ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ସେତୁର ନିର୍ମାଣ କାର୍ଯ୍ୟ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ । ଏଣିକି ସ୍ଥଳପଥ ଦେଇ ଧବଳେଶ୍ଵର ପୀଠରେ ପହଞ୍ଚି ପାରିବେ ଭକ୍ତ । ସୁଗମ ହେବ ଭକ୍ତଙ୍କ ଯାତ୍ରା । ଏହାଫଳରେ ଧବଳେଶ୍ଵର ପୀଠକୁ ଆଶାତୀତ ଭାବେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ସେତୁ ନିର୍ମାଣସ୍ଥଳ ପରିଦର୍ଶନ ଓ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଧବଳେଶ୍ଵର ପୀଠର ଭୌଗୋଳିକ ଅବସ୍ଥିତି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ବୈଭବକୁ ମଣ୍ଡନ କରେ । ଏହିସ୍ଥାନକୁ ସୁରକ୍ଷିତ ଯୋଗାଯୋଗ ସୁନିଶ୍ଚିତ ହୋଇଯିବା ପରେ ଏହା ପର୍ଯ୍ୟଟକମାନଙ୍କୁ ବହୁଳ ଭାବରେ ଆକୃଷ୍ଟ କରିବ ବୋଲି ଆଶା କରାଯାଉଥିବା ଶ୍ରୀ ସିଂହ ମତବ୍ୟକ୍ତ କରିଛନ୍ତି ।

ବିଜୁ ସେତୁ ଯୋଜନା ଅନ୍ତର୍ଗତ ମଞ୍ଚେଶ୍ଵର ଗ୍ରାମ ଠାରୁ ଧବଳେଶ୍ଵର ପୀଠ ପର୍ଯ୍ୟନ୍ତ ଏହି ବିସ୍ତୃତ ସେତୁ ପ୍ରାୟ ୨୨କୋଟି୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହାର ଦୈର୍ଘ୍ୟ ୨୭୬ମିଟର ରହିଥିବା ବେଳେ ଏହାର ପ୍ରସ୍ଥ ୬.୨ମିଟର ରହିଛି । ଏହାର ଉଭୟ ପାର୍ଶ୍ଵରେ ୩୬୦ମିଟର ସଂଯୋଗକାରୀ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି ।

ପ୍ରକାଶଥାଉକି ଧବଳେଶ୍ଵର ପୀଠକୁ ଏଥିପୂର୍ବରୁ କୌଣସି ସ୍ଥାୟୀ ସେତୁ ସଂଯୋଗ କରୁନଥିଲା । ଯାହାଫଳରେ ଶ୍ରଦ୍ଧାଳୁ, ଭକ୍ତ ଓ ଦର୍ଶନାର୍ଥୀମାନଙ୍କୁ ଝୁଲାପୋଲ ଉପରେ ନିର୍ଭର କରିବାକୁ ପଡୁଥିଲା । ଏଥିସହ ଦର୍ଶନାର୍ଥୀମାନେ ଶ୍ରାବଣମାସ, ବଡଓଷା ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଦର୍ଶନାର୍ଥୀ ନୁହଁନ୍ତି ପୂଜକମାନେ ମଧ୍ୟ ବାବା ଧବଳେଶ୍ଵରଙ୍କ ରୀତିନୀତି ସମ୍ପନ୍ନ ନିମନ୍ତେ ଆବଶ୍ୟକ ସାମଗ୍ରୀ ପରିବହନ ଓ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମୁଖ୍ୟ ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ଯନ୍ତ୍ରୀ (ସେତୁ ଓ କୋଠାବାଡି) ଶ୍ରୀ ରମେଶ ଚନ୍ଦ୍ର ବେହେରା , ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ସୋମନାଥ ପରିଡା, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ସାହୁ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ ତଥା ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଏହି ସେତୁର ଲୋକାର୍ପଣ କାର୍ଯ୍ୟକ୍ରମ କରାଯିବ ।

Leave A Reply

Your email address will not be published.