ବସ୍ତି ଅଞ୍ଚଳରୁ ଅପରାଧ ହ୍ରାସ ପାଇଁ କମିଶନରେଟ ପୋଲିସର ଭିନ୍ନ ପ୍ରୟାସ,୧୫-୨୦ବର୍ଷ ବୟସର ପିଲା ମାନଙ୍କୁ ଜି-୨୦ ବୈଠକ ବୁଲି ଦେଖାଇଲା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ” ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ପକ୍ଷରୁ ବସ୍ତି ବାସିନ୍ଦା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ଏହି ଅଭିଯାନରେ ଅନ୍ତର୍ଭୁକ୍ତ ଫୋକସ ବସ୍ତି ମାନଙ୍କରେ ବସ୍ତିମିତ୍ର ଏବଂ ପୁଲିସ ମିତ୍ରମାନଙ୍କ ଉଦ୍ୟମରେ ବସ୍ତି ବାସିନ୍ଦାଙ୍କର ନିକଟତର ହୋଇ ସେଠାରେ ଅପରାଧକୁ ହ୍ରାସ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ।
ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ବସ୍ତିକୁ ଚାଲ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବସ୍ତି ଅଞ୍ଚଳରୁ ସୃଷ୍ଟି ହୋଇ ସହର ସାରା କାୟ ବିସ୍ତାର କରୁଥିବା ଅପରାଧ ଗୁଡିକୁ ହ୍ରାସ କରିବା ଏବଂ ବସ୍ତିର ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ଏହି କ୍ରମରେ ଗତକାଲି ଭୁବନେଶ୍ବର ସହରାଞ୍ଚଳ ପୁଲିସ ଅନ୍ତର୍ଗତ ମଞ୍ଚେଶ୍ଵର ଥାନା, ନୟାପଲ୍ଲୀ ଥାନା, ଖଣ୍ଡଗିରି ଥାନା ଓ ଚନ୍ଦକା ଥାନା ଅଞ୍ଚଳରେ ବାସ କରୁଥିବା ମୋଟ ୧୫-୨୦ବର୍ଷ ବୟସର ମୋଟ ୧୩୫ ଜଣ ଛାତ୍ରଛାତ୍ରୀ ଆଇଏମଏମଟିରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଙ୍ଗ ଗୃପର ତୃତୀୟ ବୈଠକ ତଥା ପ୍ରଦର୍ଶନୀ ବୁଲି ଦେଖିଥିଲେ। ପ୍ରଦର୍ଶନୀରେ ଉନ୍ନତ ଜ୍ଞାନ କୌଶଳ ତଥା ବିଭିନ୍ନ ଉପଯୋଗୀ ମଡେଲ ମାନ ଉପସ୍ଥାପନ କରାଯାଇଥିଲା ଓ ଛାତ୍ରଛାତ୍ରୀ ମାନେ ଏକ୍ସପର୍ଟ ମାନଙ୍କଠାରୁ ସବୁ ମଡେଲ୍ ବିଷୟରେ ବୁଝିଥିଲେ। ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ଗତ 26 ଏପ୍ରିଲ ରୁ 28 ଏପ୍ରିଲ ତିନି ଦିନ ବ୍ଯାପି ଜି-୨୦ ଶିକ୍ଷା ୱାର୍କିଙ୍ଗ ଗୃପର ତୃତୀୟ ବୈଠକରେ ବିଶ୍ବର ୨୦ଟି ରାଷ୍ଟ୍ରର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀରେ ଯୋଗଦେଇ ବସ୍ତିର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଶିକ୍ଷା କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇବା ପାଇଁ ଆଶାବାଦୀ ଅଛନ୍ତି।ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ମାନଙ୍କ ସହ ବସ୍ତି ମିତ୍ର ଓ ପୁଲିସ ମିତ୍ର ମାନେ ଯୋଗ ଦେଇଥିଲେ।