କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଲା ବିମାନ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୂରଣ ହେଲା ଦୀର୍ଘ ଦିନର ଆଶା । କୋରାପୁଟ ଜିଲ୍ଲା ଜୟପୁର ସହରକୁ ଉଡ଼ିଛି ବିମାନ। ବିମାନ ଚଳାଚଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ସିଟ୍‌ ବିଶିଷ୍ଟ ଇଣ୍ଡିଆ ଓ୍ଵାନ ଏୟାର ବିମାନର ଯାତ୍ରା ଆରମ୍ଭ । ଇଣ୍ଡିଆ ଓ୍ଵାନ ଏୟାର ସପ୍ତାହକୁ ୬ ଦିନ ଉଡାଣ ଭରିବ। ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ । ଏହା ଅପରାହ୍ନ ଗୋଟାଏ ୨୦ ମିନିଟରେ ଜୟପୁରରେ ପହଞ୍ଚିବ । ସେହିପରି ଜୟପୁରରୁ ଗୋଟାଏ ୪୦ରେ ବିମାନ ବାହାରି ବିଶାଖାପାଟଣାରେ ୨ଟା ୩୦ରେ ପହଞ୍ଚିବ ।

ପ୍ରଥମ ପର୍ଯ୍ୟାୟରେ ୯ ସିଟ୍ ବିଶିଷ୍ଟ ଏହି ବିମାନର ଉଡ଼ାଣ ହୋଇଛି । ବିମାନ ୧୧.୩୫ ରେ ଭୁବନେଶ୍ୱରରୁ ବାହାରି ଜୟପୁରରେ ୧.୨୦ ମିନିଟ୍ ରେ ପହଞ୍ଚିବ । ଜୟପୁରରୁ ୧.୪୦ରେ ବାହାରି ବିଶାଖାପାଟଣାରେ ୨.୩୦ ମିନିଟ୍ ରେ ପହଞ୍ଚିବ । ସେହିଭଳି ବିଶାଖାପାଟଣାରୁ ବିମାନ ୩ଟାରେ ବାହାରି ଜୟପୁରରେ ୩.୫୦ ରେ ପହଞ୍ଚିବ ଏବଂ ଜୟପୁରରୁ ୪.୦୫ ରେ ବାହାରି ଭୁବନେଶ୍ୱରରେ ୫.୫୦ ମିନିଟ୍ ରେ ପହଞ୍ଚିବ । ଭୁବନେଶ୍ୱରରୁ ଜୟପୁର ବିମାନ ଭଡ଼ା ୨୫୦୦ ଟଙ୍କା ରଖାଯାଇଛି ।

ବିମାନ ଉଡାଣର ଶୁଭାରମ୍ଭ ଅବସରରେ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ୯୯୯ ଟଙ୍କାର ଟିକେଟ୍ ଅଫର୍ ରହିଥିଲା । ତେବେ ବୁକିଂ ଆରମ୍ଭର କିଛି ସମୟ ଭିତରେ ସବୁ ବିକ୍ରୀ ହୋଇଯାଇଥିଲା । ପରବର୍ତ୍ତୀ ଟିକେଟ ଦର ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିଲେ ମଧ୍ୟ ୨୫୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ସୂଚନାଥାଉ କି ଓଡ଼ିଶା ସରକାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ମିଳିତ ଉଦ୍ୟମରେ ଜୟପୁର ବିମାନବନ୍ଦରକୁ ‘ଉଡ଼ାନ’ ଯୋଜନାରେ ନିର୍ଦ୍ଧାରିତ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ଲାଇସେନ୍ସ ଦିଆଯାଇଛି ।

Leave A Reply

Your email address will not be published.