ଆଦିବାସୀ ପିଲାଙ୍କ ପାଇଁ ବାଲେଶ୍ୱରରେ ପ୍ରତିଷ୍ଠା ହେଲା କିସ ବିଶ୍ୱବିଦ୍ୟାଳୟର ଦ୍ବିତୀୟ ଶାଖା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସର ନୂତନ ଶାଖା ଇମାମି-କିସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍ଘା ଟନ କରିଛନ୍ତି । ଏହି ବିଦ୍ୟାଳୟକୁ ଭିଡ଼ିଓ କନ୍ଫିରେନ୍ସିଂ ଜରିଆରେ ଶ୍ରୀ ପଟ୍ଟନାୟକ ଉଦ୍ଘାସଟନ କରିଥିଲେ ।
କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଲେ, କିସ୍ ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ କରିଆସୁଛି । କିସର ଛାତ୍ର ଛାତ୍ରୀ ଆଜି ୩୦ ହଜାରରୁ ଊର୍ଦ୍ଧ୍ୱ ଉତ୍ତୀର୍ଣ୍ଣ ହୋଇ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଇମାମି-କିସ୍ ଆବାସିକ ବିଦ୍ୟାଳୟ ପାଇଁ ଜମି କ୍ରୟଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ସବୁଜ ବଳୟ ସୃଷ୍ଟି, ପାଚେରୀ ନିର୍ମାଣ, ମେକାନାଇଜ୍ଡଂ ରୋଷଶାଳା, ୨୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସମେତ ୧ଲକ୍ଷ୨୦ହଜାର ବର୍ଗଫୁଟ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରୁ ଇମାମି ଗ୍ରୁପ୍ ୧୪ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ବାକି ୩୬ କୋଟି ଟଙ୍କା କିଟ୍ ତରଫରୁ ଖର୍ଚ୍ଚ କରାଯାଇଛି ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ । ଏହା ବାଲେଶ୍ୱରବାସୀଙ୍କ ସମ୍ପତ୍ତି ହୋଇ ରହିବ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ, ଇମାମି-କିସ୍ ଆବାସିକ ବିଦ୍ୟାଳୟରେ ସିବିଏସ୍ଇି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୧୨ଶହ କେବଳ ଗରିବ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ । ପାଠ ପଢ଼ା ବ୍ୟତୀତ ଏଠାରେ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷ କରି ଉନ୍ନତ ମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ । ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରସ୍ଥିତ କିସ୍ କିମ୍ବା କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ଭୁବନେଶ୍ୱର କିସ୍ ଭଳି ଏଠାରେ ସମ୍ପୂର୍ଣ୍ଣ ଆବାସିକ ଓ ବିନାଦେୟରେ ଗରିବ ପିଲାମାନେ ପାଠ ପଢ଼ିପାରିବେ । ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱା) ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ଇମାମି ଗ୍ରୁପ୍ର ପ୍ରତିଷ୍ଠାତା ତଥା ଯୁଗ୍ମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆର୍. ଏସ୍. ଅଗ୍ରୱାଲ୍ ଏବଂ ଇମାମି ଗ୍ରୁପ୍ର ସହ-ପ୍ରତିଷ୍ଠାତା ତଥା ଯୁଗ୍ମ ଅଧ୍ୟକ୍ଷ ଆର. ଏସ୍. ଗୋଏଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।