ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅର୍ଚ୍ଚନା ନାଗ ଗିରଫ ମାମଲାରେ ପୋଲିସ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି । ଶୁକ୍ରବାର ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ଉଠାଇ ନେଇ ଜେରା କରୁଛି । ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ ପଚରା ଉଚରା ପରେ ଛାଡି ଦେଇଥିଲା । ହେଲେ ଏଥର ତଥ୍ୟ ପ୍ରମାଣ ପାଇବା ପରେ ପୋଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ଆବଶ୍ୟକ ଥିବାରୁ ପୋଲିସ ଆଇଟିପି ଆକ୍ଟରେ ମାମଲା ରୁଜୁ ନଥିବାରୁ ଏହା ପଛରେ ପ୍ରଭାବଶାଳୀଙ୍କ ହାତ ଥିବା କୁହାଯାଉଛି ।
ଜଗବନ୍ଧୁ ସତ୍ୟବିହାର ଘରେ ଶୋଇଥିବା ବେଳେ ଭୋରରୁ ଉଠାଇ ନେଇଥିଲା ପୋଲିସ । ବ୍ଲାକମେଲ୍ ନେଟଓ୍ଵର୍କ ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ଖଣ୍ଡଗିରି ଥାନା ପୋଲିସ । କେସିଙ୍ଗାରୁ ରାଜଧାନୀ ପର୍ଯ୍ୟନ୍ତ କେମିତି ଗଢ଼ିଥିଲା ସାମ୍ରାଜ୍ୟ । ୫ ବର୍ଷରେ କେମିତି ଅର୍ଜିଲେ ୩୦ କୋଟି ? ଆୟର ଉତ୍ସ କ’ଣ ? ଅର୍ଚ୍ଚନାଙ୍କ ସହ ମିଶି ଜଗବନ୍ଧୁ କେମିତି ବିଛାଇଥିଲେ ବ୍ଲାକ୍ମେଲିଂ ସାମ୍ରାଜ୍ୟ ? କିଭଳି ବଡ ବଡ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରୁଥିଲେ ? କିଭଳି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କାହିଁକି କରୁଥିଲେ? କେତେଜଣ ବଡ଼ବଡ଼ିଆଙ୍କୁ ଲୁଟିଥିଲେ ସ୍ୱାମୀ, ସ୍ତ୍ରୀ ? ରୋଜଗାର ଟଙ୍କାକୁ କେଉଁଠି ବିନିଯୋଗ କରୁଥିଲେ ? ଏଥିରେ ଆଉ କିଏ କରୁଥିଲେ ସହଯୋଗ ? ଅର୍ଚ୍ଚନା ବ୍ଲାକମେଲ ସିଣ୍ଡିକେଟ୍ ପଛରେ ସ୍ୱାମୀ ଜଗବନ୍ଧୁର ପ୍ରଛଦ ହାତ ରହିଥିବା ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ଜଗବନ୍ଧୁଙ୍କ ଗଳାରେ ଅସ୍ତ୍ରୋପଚାର ହୋଇଛି, ଗିରଫଦାରୀ ବେଆଇନ ବୋଲି ଦର୍ଶାଇଛନ୍ତି ତାଙ୍କ ଓକିଲ ।
ସୂଚନାଥାଉକି, ଅର୍ଚ୍ଚନା ନାଗ୍, ଖଗେଶ୍ୱର ଓ ଜଗବନ୍ଧୁଙ୍କ ନାଁରେ ପୀଡିତା ଯୁବତୀ ଏତଲା ଦେଇଥିଲେ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଲୋକଙ୍କୁ ବିଭିନ୍ନ ଆଳରେ ଲୋକଙ୍କୁ ବ୍ଲାକମେଲିଂ କରି ଭୁବନେଶ୍ୱରେ ରହି ଅୟସ କରୁଥିଲା । ନେତା ମନ୍ତ୍ରୀ ଟଙ୍କାରେ ଦାମୀ ଗାଡି, ପୁଳା ପୁଳା ଟଙ୍କାରେ ରାଜପ୍ରାସାଦ ଭଳି ବଙ୍ଗଳା କରି ରାଜଧାନୀରେ ବିଳାସ ପୂର୍ଣ୍ଣ ଜୀବନ କାଟୁଥିଲା । ସିନେ ପ୍ରଯୋଜକ ସମେତ ଅନେକ ପ୍ରଭାବଶାଳୀଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା କମାଉଥିଲେ ।