ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ସହରରେ ଦୁର୍ଗାମେଢ଼ ପରେ ଲକ୍ଷ୍ମୀମେଢ଼ରେ ଚାନ୍ଦିର ପ୍ରତିଯୋଗିତା। କଟକ ସହରର ଲକ୍ଷ୍ମୀ ପୂଜାରେ ଦ୍ୱିତୀୟ ମେଢ଼ ଭାବେ କାଜି ବଜାରରେ ମା ଲକ୍ଷ୍ମୀଙ୍କ ପୁଜାରେ ଚାନ୍ଦିମେଢ଼ ଲୋକାର୍ପିତ ହୋଇଯାଇଛି। କାଜି ବଜାର ଏକ ଛୋଟ ସାହି ହୋଇଥିଲେ ମଧ୍ୟ ୫୦ କିଲୋର ଚାନ୍ଦିମେଢ଼ ଗଜଲକ୍ଷ୍ମୀ ପୂଜାରେ ଉଦଘାଟିତ କରିଛି। ୨୦୧୬ ମସିହାରେ ଚୌଧୁରୀ ବଜାର ପୂଜା କମିଟି ଗଜଲକ୍ଷ୍ମୀ ପୂଜାରେ ଚାନ୍ଦିମେଢ଼ କରିଥିବା ବେଳେ କାଜି ବଜାର ଦ୍ଵିତୀୟ ପୂଜା କମିଟି ଭାବେ ଏହି ଚାନ୍ଦିମେଢ଼ କରିଛି।
କାଜିବଜାରର ବରିଷ୍ଠ ସାହି ମୁରବି ରବି ନାରାୟଣ ସିଂ ଓ ପୂଜାକମିଟିର ଉପଦେଷ୍ଟା ମନୋରଞ୍ଜନ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ମା ଲକ୍ଷ୍ମୀଙ୍କର ଚାନ୍ଦି ମେଢ଼ ଉଦଘାଟନ କରିଥିଲେ। କାଜି ବଜାର ପୂଜା କମିଟି ୧୯୯୭ ମସିହାରେ ଦୁର୍ଗାପୂଜାରେ ଚାନ୍ଦିମେଢ଼ କରିଥିବା ବେଳେ ୨୦୨୦ ମସିହାରେ ମା ଲକ୍ଷ୍ମୀଙ୍କର ଚାନ୍ଦି ମେଢ଼ ପାଇଁ ପରିକଳ୍ପନା କରିଥିଲା। ଲକ୍ଷ୍ମୀପୂଜାରେ ଚାନ୍ଦିମେଢ଼ ଉଦଘାଟନ ଅବସରରେ ପୂଜା କମିଟିର ପୁର୍ବତନ ସଭାପତିଙ୍କ ସମେତ ସାହିର ବହୁ ମୁରବି ଉପସ୍ଥିତ ଥିଲେ।