ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ନିର୍ମାଣ ପ୍ରସଙ୍ଗ: ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଓଡିଆ ନ୍ୟୁଜ୍(ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ନିର୍ମାଣ ପ୍ରସଂଗ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ରାମ୍ପ ବ୍ୟବସ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଏକ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ମାସ ମଧ୍ୟରେ ପ୍ରତିପକ୍ଷ ମାନେ ଏ ନେଇ ନିଷ୍ପତ୍ତି ନେଇ ରାମ୍ପ ବ୍ୟବସ୍ଥା କରିବାକୁ ଅଦାଲତ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି। ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ତରଫରୁ ଦାୟର ଏହି ମାମଲାରେ ଦର୍ଶାଯାଇଥିଲା ଯେ ହ୍ବିଲ ଚେୟାରରେ ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ପାଇଁ କୌଣସି ରୢାମ୍ପ ନାହିଁ।
ଆବେଦନକାରୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ହ୍ବିଲ ଚେୟାରରେ ଯାତାୟାତ କରୁଛନ୍ତି। ସେ ଶ୍ରୀଜଗନ୍ନାଥଙ୍କ ଜଣେ ଭକ୍ତ ହୋଇଥିବା ବେଳେ ଶ୍ରୀମନ୍ଦିରରେ କୌଣସି ରୢାମ୍ପ ନଥିବାରୁ ସେ ହ୍ବିଲ ଚେୟାର ମାଧ୍ୟମରେ ଭିତରକୁ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ପାରୁ ନାହାନ୍ତି। ଦିବ୍ୟାଙ୍ଗଙ୍କ ମନ୍ଦିର ପ୍ରବେଶ ପାଇଁ ଉପଯୁକ୍ତ ବନ୍ଦୋବସ୍ତ କରିବା ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ବ। ଶ୍ରୀମନ୍ଦିର ପରିସରକୁ ରୢାମ୍ପ ନିର୍ମାଣ କରାଯାଇ ହ୍ବିଲଚେୟାର ମାଧ୍ୟମରେ ଦିବ୍ୟାଙ୍ଗଙ୍କ ପ୍ରବେଶ ସୁବିଧା ତୁରନ୍ତ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।