ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ପାଇଁ ଦୂର ହେଲା ଦ୍ୱନ୍ଦ, ଆସିଲା ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି । ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କ ବୟସ ଚଳିତବର୍ଷ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୫ରୁ ୭ବର୍ଷ ଧାର୍ଯ୍ୟ କରାଯାଇଛି ।

ତେବେ କେନ୍ଦ୍ର ସରକାର ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ବର୍ଷ ଧାର୍ଯ୍ୟ କରିଛନ୍ତି । ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରହିଥିବା ତଫାତ ଯୋଗୁ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଜିଲ୍ଲା ଓ ବ୍ଲକସ୍ତରରେ ତଥା ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଯାହାଫଳରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ପିଲାଙ୍କ ଅଭିଭାବକମାନେ ବି ଦ୍ୱନ୍ଦ୍ୱରେ ପଡିଥିଲେ । ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହୋଇଛି ।

ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସସୀମା ସର୍ବନିମ୍ନ ୫ବର୍ଷ ଓ ସର୍ବାଧିକ ୭ବର୍ଷ ଧାର୍ଯ୍ୟ ହୋଇଛି । ତେବେ ଦିବ୍ୟାଙ୍ଗ ପିଲାଙ୍କ କ୍ଷେତ୍ରରେ ଏହି ବୟସସୀମା ସର୍ବାଧିକ ୯ବର୍ଷ ରହିଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସସୀମା ସର୍ବନିମ୍ନ ୬ ବର୍ଷ ଧାର୍ଯ୍ୟ କରିଥିବାବେଳେ ରାଜ୍ୟ ସରକାର ସର୍ବନିମ୍ନ ୫ବର୍ଷ କରିଥିଲେ । ଯାହାକୁ ନେଇ ଶିକ୍ଷକ ଓ ଅଭିଭାବକ ମହଲରେ ଦ୍ୱନ୍ଦ୍ୱ ଉପୁଜିଥିଲା ।

Leave A Reply

Your email address will not be published.