ବଢ଼ିଲାଣି କରୋନା, ବୁଷ୍ଟର ଡୋଜ ନେବାକୁ ପ୍ରବଳ ଭିଡ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ଦେଶରେ ଏବେ ହୁ ହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୬ମାସର ବ୍ୟବଧାନରେ ଦେଶରେ ୩ହଜାରରୁ ଅଧିକ ମାମଲା ନଜରକୁ ଆସିଛି।  ଏଭଳି ପରିସ୍ଥିତିରେ ଲୋକମାନେ ପୁଣିଥରେ ‌ଟିକାକେନ୍ଦ୍ର ମୁହାଁ ହୋଇଛନ୍ତି। ଯେଉଁମାନେ ନିଜର ବୁଷ୍ଟର ଡୋଜ୍ ନେଇ ନଥିଲେ ଏହାକୁ ନେବା ପାଇଁ ଆଗ୍ରହ ଦେଖାଉଥିବା ନଜରକୁ ଆସିଛି। କୋ-ୱିନ୍ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ ୧୫ ତାରିଖରେ ଦେଶରେ ୪୫,୦୨୯ ଲୋକ ଟିକା ନେଇଥିବା ବେଳେ ମାସ ଶେଷ ବେଳକୁ ଏହା ୬୨,୩୩୯କୁ ବୃଦ୍ଧି ପାଇଛି।

ମୋଟ ଉପରେ ୩୮ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି। ସଂକ୍ରମଣ ଯଦି ଆହୁରି ବୃଦ୍ଧି ପାଏ ତାହାଲେ ବୁଷ୍ଟର ଡୋଜ୍ ନେବାପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ମାତ୍ର ଓଡ଼ିଶାରେ ବୁଷ୍ଟର ଡୋଜ୍ ନେଇ ଲୋକଙ୍କଠାରେ ଆଗ୍ରହ ନାହିଁ।ଅପରପକ୍ଷରେ ଓଡ଼ିଶାରେ ସରକାରୀ ଟିକାକରଣ କେନ୍ଦ୍ରରେ କୋଭିଡ୍‌ ଟିକା ଉପଲବ୍ଧ ନାହିଁ।

ଶେଷଥର ପାଇଁ ଯେଉଁ କୋଭିଡ ଟିକା ଆସିଥିଲା ତାହାର ଅବଧି ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ରହିଥିଲା। ମାତ୍ର ଏବେ ଟିକା ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାର ଯୋଜନା ନ ଥିବା କହିଛନ୍ତି ରାଜ୍ୟ କୋଭିଡ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ରାଜ୍ୟରେ ଟିକାକୁ ନେଇ ଲୋକଙ୍କ ପାଖରେ ଆଗ୍ରହ ଦେଖିବାକୁ ମିଳୁନାହିଁ। ଯେତିକି ଟିକା ଆସିଥିଲା ବହୁ କଷ୍ଟରେ ତାହା ଲୋକମାନଙ୍କୁ ଦିଆଯାଇଛି। କେନ୍ଦ୍ର ପକ୍ଷରୁ ଅନ୍ୟ ରାଜ୍ୟକୁ ଦିଆଯାଇଥିବା ଟିକା ଠିକ୍ ସମୟରେ ନ ଦିଆଯିବା ଫଳରେ ତାହା ନଷ୍ଟ ହୋଇ ଯାଇଥିଲା। ଏବେ କେନ୍ଦ୍ର ସରକାରଙ୍କ ପାଖରେ ଟିକାର କୌଣସି ଷ୍ଟକ୍ ନାହିଁ।

ଘରୋଇ ଟିକା କେନ୍ଦ୍ରରେ ଯାହା ଟିକା ରହିଛି ତାହା ଦିଆଯାଉଛି। ମାତ୍ର ଓଡ଼ିଶାର ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନରେ ଟିକା ଉପଲବ୍ଧ ହେଉଥିବା ନେଇ କୌଣସି ସୂଚନା ନାହିଁ। ଗୋଟିଏ ସ୍ବାସ୍ଥ୍ୟାନୁଷ୍ଠାନ ନାଜାଲ୍‌ ଟିକା ଆଣିଥିବା କୁହାଯାଉଛି।

Leave A Reply

Your email address will not be published.