ଓଡ଼ିଆ ନ୍ୟୁଜ୍: ମଙ୍ଗଳାବାଗ ଥାନାରେ ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ।ଉଦ୍ଧାର କଲେ ଅଗ୍ନିଶମ ଟିମ୍, ଏସ୍ସିବି ମେଡିକାଲ୍ରେ ଭର୍ତ୍ତି।ବାମ ହାତରେ କଟା ଦାଗ ଓ ବେକରେ ଆଘାତ ଲାଗିଥିବା ସୂଚନା।
ସୂଚନାଯୋଗ୍ୟ ଯେ, କଟକ ମଙ୍ଗଳାବାଗ ଥାନା ପରିସରରେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ସୋମବାର ସକାଳୁ ସକାଳୁ ହଠାତ୍ ମଙ୍ଗଳାବାଗ ଥାନା ଛାତ ଉପରେ ଚଢ଼ିଗଲେ ଜଣେ ଯୁବକ । ଛାତ ଉପରେ ଚଢିବା ସହ ବେକରେ ଗାମୁଛା ଲଗାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଥାନା ପୋଲିସ ଏବଂ ସେଠାରେ ଉପସ୍ଥିତ ଲୋକ ତାଜୁବ ହୋଇଯାଇଥିଲେ । ପୋଲିସ ଏବଂ ଉପସ୍ଥିତ ଲୋକ ତାଙ୍କୁ ଅଟକାଇବାକୁ ଲାଗିଥିଲେ ।
ହେଲେ ଯୁବକ ଜଣଙ୍କ କିଛି ଶୁଣିନଥିଲେ କି ସେ ଓହ୍ଲାଇବାକୁ ନାରାଜ ଥିଲେ ।ବହୁ ଉଦ୍ୟମ ପରେ ବିଫଳ ହୋଇଥିଲା ପୋଲିସ । ଶେଷରେ ବାଧ୍ୟ ହୋଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଥାନାରେ ପହଞ୍ଚିଥିଲେ । ଥାନା ଛାତ ଉପରେ ଚଢ଼ିଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କିଏ ଓ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।