ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ମିଗଜୋମ୍ । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ବର୍ଷା ଜାରି ରହିଛି । ଦକ୍ଷିଣ ଓଡ଼ିଶା ଉପରେ ବାତ୍ୟା ମିଗଜୋମ୍ ପ୍ରଭାବ ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଗଜପତିରେ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରାଯାଇଛି ।
ଆସନ୍ତାକାଲି(ବୁଧବାର) ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ସାମୁଦ୍ରିକ ଝଡ଼ ‘ମିଗଜୋମ’ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଛି । ଏବେ ଏହି ଝଡ଼ ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଥିବାବେଳେ ଜୁମ୍ ଆର୍ଥ ଲାଇଭ୍ ୱେବସାଇଟ୍ ଅନୁଯାୟୀ, ଏହି ଝଡ ଦ୍ରୁତ ଗତିରେ ଗତି କରୁଛି ଏବଂ ଏହା କିଛି ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଅଂଚଳରେ ପହଂଚିବାର ଆଶଙ୍କା ରହିଛି। ମିଗଜୋମ୍ ଯୋଗୁଁ ତାମିଲନାଡୁରେ ୮ ଜଣଙ୍କର ମୃତ୍ୟୁ ହୋଇଛି | ସେହିପରି ଆନ୍ଧ୍ରପ୍ରଦେଶର ଆଉ ପାଞ୍ଚଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଏହି ଜିଲ୍ଲାଗୁଡ଼ିକ ହେଉଛି ନେଲୋର, କଡାପା, ଟି.ଗୋ, କାକିନାଡା ଏବଂ ଆଲୁରି ଜିଲ୍ଲା | ଆନ୍ଧ୍ରପ୍ରଦେଶର ଆହୁରି ୮ ଟି ଜିଲ୍ଲା ପାଇଁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ତିରୁପତି, ଅନାମାୟା, ନନ୍ଦାୟାଲା, ଅନାକାପଲି, ମାନ୍ୟମ, ବିଶାଖା, ବିଜୟନଗରମ, ଶ୍ରୀକାକୁଲମ୍ ପାଇଁ ମଧ୍ୟ ହଳଦିଆ ସତର୍କ ସୂଚନା ରହିଛି। ସେହିପରି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଝଡର ପ୍ରଭାବକୁ ଦେଖି ଉଦ୍ଧାର କାର୍ଯ୍ୟ ପାଇଁ ୨୧ଟି ଏନଡିଆରଏଫ ଟିମ ପ୍ରସ୍ତୁତ ଥିବାବେଳେ ୮ଟି ଟିମ ରିଜର୍ଭ ରଖାଯାଇଛି | ସେହିପରି ତଟରକ୍ଷୀ ବାହିନୀ, ସେନା ଏବଂ ନୌସେନା ପକ୍ଷରୁ ଉଦ୍ଧାର ଏବଂ ରିଲିଫ୍ ଟିମ୍ ପାଇଁ ଜାହାଜ ଏବଂ ବିମାନ ମଧ୍ୟ ପ୍ରସ୍ତୁତ ରଖାଯାଇଛି |