ପୁରୀ-ସାଗରଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ‘ଦାନା’
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବ। ବାତ୍ୟା ‘ଦାନା’ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ଵୀପ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ଗତିପଥରୁ ସ୍ପଷ୍ଟ ହେଉଛି। ୨୨ ତାରିଖରେ ଅବପାତ ରୂପ ନେବ। ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ।
ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ବେଳେ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଜଗତସିଂହପୁରରେ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନର ଆକଳନ ଅନୁସାରେ, ଲଘୁଚାପ କ୍ଷେତ୍ର ସ୍ଥଳ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ରୂପାନ୍ତରିତ ହେବ।
୨୩ ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବା ବାତ୍ୟା ରୂପ ନେବ। ଏହା ପରେ ବାତ୍ୟା ଉତ୍ତର-ପଶ୍ଚିମ ଆଡକୁ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟବର୍ତ୍ତୀ ହେବ। ଏହା ପରେ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହେବ। ୨୪ ତାରିଖ ମଧ୍ୟରାତ୍ରି କିମ୍ବା ୨୫ ତାରିଖ ସକାଳେ ବାତ୍ୟାଟି ଭୀଷଣ ବାତ୍ୟା ରୂପ ନେଇ ପୁରୀ ଏବଂ ସାଗରଦ୍ଵୀପ ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ବେଳେବେଳେ ଏହା ୧୨୦ କିଲୋମିଟର ଛୁଇଁପାରେ ବୋଲି ଆକଳନ ହୋଇଛି।