ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଋଣ ଭାର ସହିନପାରି ଡିଜେ ମାଲିକଙ୍କ ଆତ୍ମହତ୍ୟା | ଋଣଭାର ସହି ନ ପାରି ବେକରେ ରଶି ଲଗାଇ ଜୀବନ ହାରିଲେ ଡିଜେ ମାଲିକ। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଢା ପଞ୍ଚାୟତ ଚାରିଘରିଆ ସାହି ଗ୍ରାମର ରାକେଶ ଜେନା ପୂର୍ବରୁ ଏକ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ।
ଗତ ୩ ମାସ ତଳେ ତାଙ୍କ ସ୍ତ୍ରୀଙ୍କ ନାମରେ ଘରୋଇ ଋଣ ନେଇ ଏକ ଡିଜେ ଗାଡି ବାହାର କରିଥିଲେ। କିନ୍ତୁ ଚଳିତ ପ୍ରଶାସନ ପକ୍ଷରୁ ବର୍ଷ ଡିଜେ ବ୍ୟାନ ହେବାରୁ ରାକେଶ ସଠିକ ସମୟରେ କିସ୍ତି ଟଙ୍କା ପୈଠ କରିପାରିନଥିଲେ। ଏନେଇ ଉଭୟ ସ୍ବାମି ସ୍ତ୍ରୀଙ୍କ ମଧ୍ୟରେ ବଚସା ଓ ଅଶାନ୍ତି ଲାଗି ରହୁଥିଲା। ଗତକାଲି ରାକେଶ ଘରକୁ ଫେରି ଅଲଗା କୋଠରୀରେ ଶୋଇବାକୁ ଯାଇଥିଲେ।
ଆଜି ସକାଳେ ପରିବାର ଲୋକେ ଉକ୍ତ ଘରର ଝରକାରେ ରାକେଶ ଫେନରେ ରଶି ଲଗାଇ ଝୁଲୁଥିବାର ଦେଖିଥିଲେ। ପରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।