ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଆରମ୍ଭ କଲାଣି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ବିଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍ସ୍ପଟ୍ ରହିଥିଲା ତାହାକୁ କୀଟତତ୍ତ୍ବିବତ୍ଙ୍କ ଦ୍ବାରା ଅନୁଶୀଳନ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ଦିଆଯାଇଛି ନିର୍ଦ୍ଦେଶ । ଆବଶ୍ୟକ ସଂଖ୍ୟକ ଫ୍ରଣ୍ଟଲାଇନ ୱାର୍କର, ଡାଏଗ୍ନୋଷ୍ଟିକ୍ କିଟ୍, ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି । ଜିଲ୍ଲା ଓ ମହାନଗର ନିଗମ ସ୍ତରରେ ସବୁ ଅଂଶୀଦାରମାନଙ୍କୁ ନେଇ ବୈଠକ କରି ଯୁଗ୍ମ ଆକ୍ସନ୍ ପ୍ଲାନ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ | ଜନସାଧାରଣଙ୍କୁ ସଚେତନ କରିବା ସହ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ୱୟ ରକ୍ଷା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।
ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଳକ୍ ଆରଆରଟି ଦଳ ପ୍ରସ୍ତୁତ ରଖନ୍ତୁ । ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷିତ ରଖିବେ । ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ମଶାଙ୍କ ଉପଦ୍ରବରୁ ସୁରକ୍ଷିତ କରିବା, ସାପ୍ତାହିକ ଡ୍ରାଏ ଡେ’ ପାଳନ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଅଙ୍କ ଛୁଇଁସାରିଛି। ଜିଲ୍ଲାର ୫୦% ରୋଗୀ କେବଳ ଭୁବନେଶ୍ବରରୁ ବାହାରିଛନ୍ତି।
Comments are closed.