ଓଡିଆ ନ୍ୟୁଜ(ବ୍ୟୁରୋ) : ରାଜ୍ୟରେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିୀଚାଲିଛି । ୧୧ ତାରିଖ ସୁଦ୍ଧା ରାଜ୍ୟରେ ୨୮ ହଜାର ୯୫୩ ନମୁନା ପରୀକ୍ଷା କରାଯାଇଥିବାବେଳେ ୧୬୭୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲା ଡେଙ୍ଗୁର ହଟସ୍ପଟ୍ ପାଲଟିଥିବାବେଳେ ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ରହିଛନ୍ତି।
ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ହସ୍ପିଟାଲ ଉପରେ ଚାପ ପଡୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଉଭୟ ପରୀକ୍ଷଣ ଓ ନିରାକରଣ କ୍ଷେତ୍ରରେ ଅଧିକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସଂକ୍ରମଣ ରୋକିବାରେ ଫେଲ୍ ମାରୁଛି ସ୍ବାସ୍ଥ୍ୟ ବିଭାଗ। ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ଡେଙ୍ଗୁ ସଂକ୍ରମଣରୁ ସର୍ବାଧିକ ୭୦ ପ୍ରତିଶତ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହୋଇଥିବାବେଳେ ସେଥିରୁ ୯୦ ପ୍ରତିଶତ ରୋଗୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହିଛନ୍ତି। ଗତ ୧୦ଦିନ ମଧ୍ୟରେ ବିଏମ୍ସି ଅଞ୍ଚଳରେ ୩୮୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସହରରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ବର୍ତ୍ତମାନ ହସ୍ପିଟାଲ ଉପରେ ଚାପ ବଢିବାରେ ଲାଗିଛି। ଏପରିକି ଡେଙ୍ଗୁ ରୋଗୀ ବେଡ୍ ବଦଳରେ ତଳେ ଶୋଇବାକୁ ପଡୁଥିବା ଦେଖିବାକୁ ମିଳୁଛି।
ତେବେ ମୌସୁମୀ ଆରମ୍ଭରୁ ବିଭାଗ ପକ୍ଷରୁ ଡେଙ୍ଗୁ ନିରାକରଣ ନିମନ୍ତେ ରାଜ୍ୟର ୫ ମହାନଗର ନିଗମ ସହିତ ବୈଠକ ଓ ସବୁ ଜିଲାର ସିଡିଏମ୍ଓଙ୍କ ସହ ସମୀକ୍ଷା କରାଯାଇ ବ୍ୟାପକ ସଚେତନତା ଓ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଡେଙ୍ଗୁ ଉପରେ ଅଙ୍କୁଶ ଲାଗିପାରୁନାହିଁ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଡେଙ୍ଗୁରେ ଅଧିକ ରୋଗୀ ଆରୋଗ୍ୟ ଲାଭ କରୁଥିବାବେଳେ କାହାର ମୃତ୍ୟୁ ହୋଇନାହିଁ। ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଜିଲା ଚିକିତ୍ସାଳୟରେ ଅଧିକ ସଂଖ୍ୟକ ଡେଙ୍ଗୁ ବେଡ୍ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।