ଓଡ଼ିଆ ନ୍ୟୁଜ୍:ଭାରତୀୟ ପାଣିପାଗ ବିଭାଗର କୁହୁଡ଼ି ସତର୍କତାକୁ ଦୃଷ୍ଟିରେ ରଖି ଆମ ରାଜ୍ୟରେ ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଆରଟିଓ ମାନଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଚେତନତା ଏବଂ ଏନଫୋର୍ସମେଣ୍ଟକୁ ଗୁରୁତ୍ୱଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆରଟିଓ ମାନଙ୍କ ସହ ଏକ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି।
ସୁରକ୍ଷିତ ଯାତ୍ରା ପାଇଁ ମଧ୍ୟ ଏକ ମାର୍ଗଦର୍ଶିକାରେ ଜାରି କରାଯାଇଛି। ଯେଉଁଥିରେ ଦୃଶ୍ୟମାନତା ଅନୁସାରେ ଧୀର ଗତିରେ ଗାଡ଼ି ଚାଳନା, ଲୋ-ବିମ୍ ହେଡଲାଇଟ୍ ବ୍ୟବହାର କରିବା, ସାମ୍ନାରେ ଥିବା ଗାଡ଼ିଠୁ ନିରାପଦ ଦୂରତା ବଜାୟ ରଖିବା, ପାର୍କିଂ ଲାଇଟ୍ ଏବଂ ଟେଲ୍ ଲାଇଟ୍ ସଠିକ ଭାବେ ଚାଲୁ ରଖିବା, ଘାଟି ତଥା ମୋଡ଼ରେ ସାବଧାନତା ସହ ଆଗକୁ ବଢ଼ିବା, ଯଦି ଦୃଶ୍ୟମାନତା କମ୍ ହୁଏ ତେବେ ଗାଡ଼ି ନ ଚଳାଇ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ହାଇ ବିମ୍ ବ୍ୟବହାର କରନ୍ତୁ ନାହିଁ, କୁହୁଡ଼ିରେ ଓଭରଟେକ୍ କରନ୍ତୁ ନାହିଁ, ହଠାତ୍ ବ୍ରେକ୍ ମାରନ୍ତୁ ନାହିଁ, ମଦ୍ୟପାନ କିମ୍ବା କ୍ଳାନ୍ତ ଅବସ୍ଥାରେ ଗାଡ଼ି ଚାଳନା କରନ୍ତୁ ନାହିଁ, ରାସ୍ତା ମଝିରେ ଯାନ ରଖନ୍ତୁ ନାହିଁ ବୋଲି ମଧ୍ୟ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।
ବାଣିଜ୍ୟିକ ଯାନରେ ହେଡ୍ ଲାଇଟ୍, ବ୍ରେକ୍ ଲାଇଟ୍, ରିଫ୍ଲେକ୍ଟର ବ୍ୟବହାର କରନ୍ତୁ, ଭୋର ସମୟରେ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ, ଅଭିଜ୍ଞ ଚାଳକଙ୍କୁ ନିଯୁକ୍ତ କରନ୍ତୁ ବୋଲି ମଧ୍ୟ ମାର୍ଗଦର୍ଶିକାରେ କୁହାଯାଇଛି। ଘନ କୁହୁଡିରେ ନିହାତି ଦରକାର ନ ଥିଲେ ଯାତ୍ରା କରନ୍ତୁ ନାହିଁ।