ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭୁବନେଶ୍ବର ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ବିଧାୟକଙ୍କ ସହ ତାଙ୍କର ଦୁଇ ସହଯୋଗୀ ଗିରଫ ହୋଇଥିବା ହୋଇଥିବାର ସୂଚନା ରହିଛି।
ସୂଚନା ଅନୁସାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ଼ ଜିଲ୍ଲା ତିଳେଇବଣି ବିଡିଓଙ୍କୁ ଆକ୍ରମଣ କରିଥିଲେ । ବିଡିଓ ଫିଲ୍ଡ ଭିଜିଟ କରିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ ବିଧାୟକ । ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ୧୦ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣରେ ବିଡିଓ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ପ୍ରାଥମିକ ଚିକିତ୍ସା ପରେ ବିଡିଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ପାଇଁ ଜିଲ୍ଲା ଓଏଏସ ସଂଘ ଚେତାବନୀ ଦେଇଥିଲା । ବିଜେପି ବିଧାୟକଙ୍କ ଏଭଳି ଗୁଣ୍ଡାଗିରିକୁ ସବୁଠି ନିନ୍ଦା କରାଯାଇଥିଲା ।