ଓଡ଼ିଆ ନ୍ୟୁଜ୍: ସ୍ୱାମୀସ୍ତ୍ରୀ ଝଗଡ଼ା କରି କୁନି ପୁଅ ଆଗରେ ବିଷ ପିଇ ମୃତ। ସବୁ କିଛି ନିଜ ଆଖିରେ ଦେଖିଲା ୫ ବର୍ଷର ଅସହାୟ ପୁଅ। ଜଙ୍ଗଲ ଭିତରେ ବାପା ଓ ଚିକିତ୍ସାଧୀନ ଅବସ୍ଥାରେ ମାଆର ମୃତ୍ୟୁ।ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା।ଶ୍ବଶୁର ଘରୁ ଫେରିବା ବାଟରେ ସ୍ବାମୀ ସ୍ତ୍ରୀ କଳି କରି ବିଷ ପିଇଦେଲେ। ରାସ୍ତା ଉପରେ ବାଇକ୍ ରଖି ଦେଇ ଜଙ୍ଗଲରେ ବିଷ ପିଇ ଦେଇଥିଲେ।ରାତି ସାରା ଜଙ୍ଗଲରେ ବସିବା ପରେ ସକାଳେ ରାସ୍ତାକୁ ଆସିଥିଲା କୁନି ପୁଅ।ଲୋକଙ୍କୁ ସାହାଯ୍ୟ ମାଗିବାରୁ ସବୁକଥା ପଦାକୁ ଆସିଲା।ଅନୁଗୁଳ ଡାକ୍ତରଖାନାରେ ଗୁରୁତର ଥିବା ମାଆର ମୃତ୍ୟୁ।
ଖବର ଅନୁସାରେ, ଜିଅନ୍ତାପାଲି ଗ୍ରାମର ଦୁଷ୍ମନ୍ତ ମାଝୀ ଏବଂ ତାଙ୍କ ସ୍ତ୍ରୀ ରିଙ୍କୀ ମାଝୀ ଶନିବାର ସନ୍ଧ୍ୟାରେ ଶ୍ୱଶୁର ଘରୁ ଫେରୁଥିଲେ । ତାଙ୍କ ସହିତ ୫ ବର୍ଷର ଶିଶୁ ପୁତ୍ର ମଧ୍ୟ ଘରକୁ ଫେରୁଥିଲା । କିନ୍ତୁ କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ଘରକୁ ଫେରୁଥିବା ବେଳେ ଦଲକ୍ ନିକଟ ରାସ୍ତା କଡରେ ନିଜ ବାଇକ ରଖି ନିଛାଟିଆ ଜଙ୍ଗଲ ଭିତରକୁ ଯାଇ ସ୍ୱାମୀ, ସ୍ତ୍ରୀ କୀଟନାଶକ ପିଇ ଦେଇଥିଲେ । ୫ ବର୍ଷର ଶିଶୁପୁତ୍ର ସବୁ ଦେଖୁଥିଲେ ମଧ୍ୟ ଉପାୟ ଶୂନ୍ୟ ହୋଇ ପଡିଥିଲା । କିଛି ସମୟ ପରେ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରିଙ୍କୀ ଅଚେତ ହୋଇ ପଡିଥିଲେ । ରାତି ହୋଇଯାଇଥିବାରୁ ଉପାୟଶୂନ୍ୟ ହୋଇ ବାପା, ମାଙ୍କ ପାଖରେ ୫ ବର୍ଷର ଶିଶୁ ପୁତ୍ର ସାରା ରାତି ଜଗିରହିଥିଲା । ରବିବାର ସକାଳ ହେବା ପରେ ଶିଶୁ ପୁତ୍ର ଜଙ୍ଗଲରୁ ବାହାରି ଆସି ରାସ୍ତାରେ ଲୋକଙ୍କୁ ଅଟକାଇବା ସହିତ ଘଟଣା ବିଷୟରେ ଜଣାଇଥିଲା ।
ସ୍ଥାନୀୟ ଲୋକ ଏନେଇ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ଆଜି ଦିନ ପ୍ରାୟ ୧୦ ଟାରେ ସ୍ୱାମୀ, ସ୍ତ୍ରୀ ଏବଂ ଶିଶୁପୁତ୍ରକୁ ଉଦ୍ଧାର କରି ଅନୁଗୁଳ ଜିଲା ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଡାକ୍ତର କିନ୍ତୁ ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ତ୍ରୀ ରିଙ୍କୀକୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଶିଶୁପୁତ୍ର ମଧ୍ୟ କୀଟନାଶକ ଖାଇଥିବା ସନ୍ଦେହ କରି ତାଙ୍କର ମଧ୍ୟ ଚିକିତ୍ସା କରାଯାଉଛି ।