ସମୃଦ୍ଧ କେନ୍ଦୁଝରର ବିକଳ ଚିତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡ଼ିହି ସାହିରେ ବାସ କରନ୍ତି ୩୫ଟି ଆଦିବାସୀ ପରିବାର। ପଞ୍ଚାୟତଠାରୁ ୩ କିଲୋମିଟର ଦୂରରେ ରହିଛି ଏହି ସାହି। ଅନ୍ୟାନ୍ୟ ସମସ୍ୟା ଥିଲେ ହେଁ ଏହି ସାହିର ଏକ ପ୍ରମୁଖ ସମସ୍ୟା ହେଉଛି ମାଲଦା ନାଳ।  ତେବେ‌ ଏହି ଘଟଣା ଅଞ୍ଚଳବାସୀଙ୍କ ପାଇଁ ନୂଆ ନୁହେଁ। ଯାତାୟାତ ପାଇଁ ପୋଲଟିଏ ନଥିବାରୁ ଲୋକେ ଦଉଡ଼ି ସାହାଯ୍ୟରେ ନଦୀ ପାର ହେଉଛନ୍ତି।

ଏପରିକି ଭତ୍ତା, ରାସନ୍‌ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଲୋକେ ନଦୀ ପାର ହୋଇ ଯାଉଛନ୍ତି। ରାଜ୍ୟ ରାଜକୋଷକୁ ସମୃଦ୍ଧ କରୁଥିବା କେନ୍ଦୁଝର ଜିଲ୍ଲାର ଏଭଳି ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରିଛି। ୩ ବର୍ଷ ତଳେ କାଦକଳା ପଞ୍ଚାୟତରୁ ହଳଡ଼ିହି ସାହି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ମାଲଦା ନାଳ ଉପରେ ପୋଲଟିଏ କରାଗଲା ନାହିଁ। ହଳଡିହି ସାହିର ଲୋକେ ପ୍ରତିଟି କଥା ପାଇଁ କାଦକଳା ପଞ୍ଚାୟତ ଓ ବାଂଶପାଳ ବ୍ଳକ ଉପରେ ନିର୍ଭର କରନ୍ତି। କିନ୍ତୁ ସେଠାକୁ ଯିବାକୁ ହେଲେ ସେମାନଙ୍କୁ ମାଲଦା ନାଳ ପାର ହେବାକୁ ପଡ଼େ। ଗାଁର ପିଲାମାନେ ଏହି ନାଳ ପାର ହୋଇ ସ୍କୁଲ ଯାଆନ୍ତି। କାଦକଳା ବଜାରକୁ ଯିବାକୁ ହେଲେ ଲୋକଙ୍କୁ ଏହି ନାଳ ପାର ହେବାକୁ ପଡ଼େ। ରୋଗୀମାନଙ୍କୁ ବି ଏହି ନାଳ ପାର ହୋଇଯିବାକୁ ପଡ଼େ।

ଛାତ୍ରଛାତ୍ରୀ ୩ କିମି ଦୂରରେ ଥିବା କାଦକଳା ଉଚ୍ଚବିଦ୍ୟାଳୟକୁ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଭାବେ ଉଛୁଳା ମଲଦା ନଦୀକୁ ଦଉଡ଼ି ସାହାଯ୍ୟରେ ପାର ହୋଇ ପାଠ ପଢ଼ିବାକୁ ଯାଉଛନ୍ତି। ରାସନ୍‌, ଭତ୍ତା ଆଣିବା ପାଇଁ ଲୋକଙ୍କୁ ପଞ୍ଚାୟତକୁ କାର୍ଯ୍ୟାଳୟକୁ ଆସିବାରେ ସମସ୍ୟା ହେଉଛି। ମଲଦା ନଦୀରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମଲଦା ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଜଳି ଧୀବର, ଲଳିତା ଧୀବର, ହୁସେନ ଧୀବର, ପବିତ୍ର ଧୀବରଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.