ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠ ରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛିି । ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ଏଥିପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ମହାଳୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ବିଶେଷ କରି ବିରଜା ମନ୍ଦୀରର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ସକାଳୁ ସକାଳୁ ଜିଲ୍ଳା ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଦାଳୁ ପିଣ୍ଡଦାନ କରି ମା ବିରଜାଙ୍କୁ ଦର୍ଶନ କରିଛନ୍ତି । ଏଭଳି ତିଥିରେ ପିଣ୍ଡଦାନ କରି ଶ୍ରଦ୍ଧାଳୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । କୋଭିଡ କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ସମୂହ ପିଣ୍ଡଦାନ କାର୍ଯ୍ୟ ବନ୍ଦ ଥିଲା । ଚଳିତ ବର୍ଷ କଟକଣା ହଟିବା ପରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି।
ପିତୃପୁରୁଷଙ୍କ ପିଣ୍ଡଦାନର ପରମ୍ପରା ରହି ଆସିଛି ଆବାହନକାଳରୁ । ବିଶେଷକରି ପିତୃପକ୍ଷ ଅର୍ଥାତ ଇନ୍ଦୁ ପୂର୍ଣ୍ଣିମା ଠାରୁ ମହାଳୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ । କିନ୍ତୁ ମହାଳୟା ତିଥିରେ ଓ ନାଭିଗୟାରେ ପିଣ୍ଡଦାନ ନେଇ ରହିଛି ଅନେକ ପୌରାଣିକ ମତ । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପିଣ୍ଡଦାନ ପରେ ମା ବିରଜାଙ୍କୁ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବାର ବିଶ୍ୱାସ ରହିଛି । ଆଜି ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।