ପୂଜାର୍ଚ୍ଚନା ପରେ ବରଗଡ଼ରେ ଖୋଲିଲା ଧାନମଣ୍ଡି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରଗଡ଼ ଜିଲ୍ଲା ସୋହେଲାରେ ଆଜି ଖୋଲିଛି ଧାନମଣ୍ଡି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରିବା ପରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି ଏଥିଲାଗି ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟ‌ୋଜିତ ହୋଇଛି। ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଚାଷୀଙ୍କ ପାଇଁ ଖୁସିର ଦିନ। ଚଳିତ ଖରିଫ ଋତୁରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ।

୨୩୦୦ ଟଙ୍କା ଏମ୍‌ଏସପି ଓ ୮୦୦ ଟଙ୍କା ବୋନସ୍ ପାଇବେ।  ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍‌ କରାଯିବ । ବରଗଡ଼ କଳାପାଣି ମଣ୍ଡିରେ ଆଜି ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଯୋଗାଣ ମନ୍ତ୍ରୀ । ବରଗଡ଼ ଅତାବିରା ସମେତ ସମୁଦାୟ ୩ଟି ସ୍ଥାନରେ ମନ୍ତ୍ରୀ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ।

ଆସନ୍ତା କାଲିଠୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଣ୍ଡିରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ ହେବ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ,  ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମଣ୍ଡିକୁ ଧାନ ଆଣିଥିବାଚାଷୀମାନଙ୍କୁ ମନ୍ତ୍ରୀ ପାତ୍ର ସମ୍ବର୍ଦ୍ଧିତ କରିଥିଲେ। ବରଗଡ଼ ଜିଲାରେ ଏଥର ବରଗଡ଼  ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନରେ ୨୨୯ ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା କରାଯାଇଛି।

Comments are closed.