ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ଆଜିଠାରୁ ଖରିଫ ଧାନ ମଣ୍ଡି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅନ୍ୟପଟେ ଆଜି ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ କିଣା। ବରଗଡ଼ ସଦର ବ୍ଲକ କଳାପାଣି ମାର୍କେଟ ୟାର୍ଡ ଏବଂ ଅତାବିରା ବ୍ଲକ ଗୋଡଭଗା ଏବଂ ଅତାବିରା ମାର୍କେଟ ୟାର୍ଡ ଠାରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଧାନ ସଂଗ୍ରହ ସମୟରେ ଶସ୍ୟର ମାନ ପରୀକ୍ଷଣ ଲାଗି ପ୍ରଥମ ଥର ପାଇଁ ୨୦୦ଟି ମଣ୍ଡିଆରେ ସ୍ବୟଂକ୍ରିୟ ଶସ୍ୟ ମାନ ପରୀକ୍ଷଣ ଯନ୍ତ୍ର ଲଗାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଦଲାଲମାନେ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ତେବେ ୪୮ ଘଣ୍ଟା ଭିତରେ ଟଙ୍କା କେମିତି ଚାଷୀଙ୍କ ଖାତାକୁ ଯିବ ସେ ସବୁର ଟିକିନିଖ୍ ତଦାରଖ କରିଛନ୍ତି ସ୍ଥାନୀୟ ଜିଲ୍ଲାପାଳ।
ସେପଟେ କିଛି ଚାଷୀଙ୍କର ଧାନ ଅମଳ ହେବାକୁ ବସିଥିବାବେଳେ ଜାନୁଆରୀରେ ଧାନ ବିକ୍ରି ପାଇଁ ମେସେଜ୍ ଆସିଥିବାରୁ ଚିନ୍ତିତ ହୋଇପଡିଛନ୍ତି। ବିଗତ ବର୍ଷ ମଣ୍ଡିରେ ଚାଷୀ ଭୋଗିଥିବା ଯନ୍ତ୍ରଣା ଏବେ ବି ମନରୁ ଯାଇନାହିଁ। କେଉଁଠି ଏଫଏକ୍ୟୁ ମାନ ଆଳରେ କଟନୀ ଛଟନୀକୁ ନେଇ ଚାଷୀ ତାତିଛନ୍ତି ତ କେଉଁଠି ଶୀତ କାକରରେ ମାସ ମାସ କାଳ ଧାନ ଜଗି ରହି ଶେଷରେ ଧାନ ଉଠିପାରିନି। ପୁଣି କେଉଁଠି ଟୋକନ୍ ଲାପସ୍ ହେବାରୁ ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ଶିକାର ହୋଇଛି। ଆଉ କେଉଁଠି ଆଖି ଆଗରେ ବର୍ଷାରେ ଭିଜି ଗଜା ହୋଇଯାଇଛି ବର୍ଷକର ପରିଶ୍ରମ। ତେବେ ଏଥର ଏସବୁ ଯନ୍ତ୍ରଣାରୁ ଚାଷୀଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର।