କ୍ଷମତାରେ ଥିବା ଲୋକମାନେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଅବଗତ ହୁଅନ୍ତୁ, ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହିଁ ବାସ୍ତବତା: ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହା ହିଁ ବାସ୍ତବତା ବୋଲି ଝାରସୁଗୁଡାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓଡ଼ିଶାରେ ବାସ୍ତବ ରୂପ ନେଇଛି । କ୍ଷମତାରେ ଥିବା ଲୋକମାନେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଅବଗତ ହୁଅନ୍ତୁ । ଦିବାଲୋକରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଠିକ୍ ଦୁଇ ମାସ ପରେ ଛାତ୍ର ସମର୍ଥଙ୍କ ହତ୍ୟା ଓଡ଼ିଶା ସରକାରଙ୍କ ଆଇନ ଶୃଙ୍ଖଳା ଠିକ୍ ଥିବା ଦାବିକୁ ପଦାରେ ପକାଇଛି ।
ରାଜ୍ୟର ଜନସାଧାରଣ କିମ୍ବା ଜନପ୍ରତିନିଧିମାନେ କେହି ସୁରକ୍ଷିତ ନୁହଁନ୍ତି । ବିଶେଷ ଭାବରେ ଝାରସୁଗୁଡାରେ ଏଭଳି ପ୍ରତିଦିନ ଘଟଣା ସମସ୍ତଙ୍କୁ ଚକିତ କରିଛି ଏବଂ ଲୋକଙ୍କ ବିଶ୍ୱାସରେ ଆଘାତ ପହଞ୍ଚାଇଛି । ସମର୍ଥଙ୍କ ପରିବାରକୁ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ ମଧ୍ୟ କମ୍ ପଡିବ । ଓଡ଼ିଶାର ସରକାର ନାଗରିକଙ୍କ ସୁରକ୍ଷା ଆଇନକାନୁନକୁ ସୁନିଶ୍ଚିତ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ବର୍ତ୍ତମାନ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି। ନବ ଦାସ ହତ୍ୟାକାଣ୍ଡକୁ 60 ଦିନ ପୁରି ସାରିଲାଣି। ହେଲେ ଷଡ଼ଯନ୍ତ୍ର କରାଯାଇ ହତ୍ୟା ହୋଇଥିଲେ ମଧ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚର ହାତ ଖାଲି।ସେଥିରୁ ଅନୁମାନ ଯାଇପାରେ ରାଜ୍ୟରେ କଣ ଚାଲିଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି,ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ଆଜି ୬୧ ଦିନ ହେଲାଣି କିଏ ଓ କାହା ଦ୍ଵାରା ହତ୍ୟା ହୋଇଛି ଜଣା ପଡିଲା ନାହିଁ। ରାଜ୍ୟରେ ଇଣ୍ଟେଲିଜେନସ ସମ୍ପୂର୍ଣ୍ଣ ଫେଲ। ଏତିକି ବେଳେ ଗତକାଲି ଝାରସୁଗୁଡାରେ ପୁଣି ଏକ ହତ୍ୟା ହୋଇଛି।ତେଣୁ ରାଜ୍ୟରେ କି ପ୍ରକାର ଶାସନ ଚାଲିଛି ଏଥିରୁ ଜାଣି ପାରୁଥିବେ। ଯଦି ଜଣେ ମନ୍ତ୍ରୀଙ୍କ ସୁରକ୍ଷା ନାହିଁ, ଜଣେ ବିଧାୟକଙ୍କ ସୁରକ୍ଷା ନାହିଁ। ସାଧାରଣ ଲୋକ କିପରି ସୁରକ୍ଷିତ ରହିବେ। ତେଣୁ ଏ ସରକାର ଉପରେ ସମସ୍ତଙ୍କ ଆସ୍ଥା ବୁଡି ସାରିଲାଣି। ବିଜେଡି ପ୍ରଥମେ ଓଡ଼ିଶାର ଆଇନ ଶୃଙ୍ଖଳା କଥା ଦେଖୁ। ଅନ୍ୟ ରାଜ୍ୟ କଥା କହିବା ଭୁଲ।