ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଅବ୍ୟବସ୍ଥା ଚିହ୍ନଟ କରାଯାଇଛି । ଭଦ୍ରକ ଓ ଯାଜପୁର ଜିଲ୍ଲାର ଦୁଇଟି କେନ୍ଦ୍ର ଏବଂ କେନ୍ଦୁଝର, ଗଜପତି, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଲେଖାଏଁ କେନ୍ଦ୍ରରେ ଏହି ଅବ୍ୟବସ୍ଥା ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲାର ମଦନ ମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା AI (କୃତ୍ରିମ ବୁଦ୍ଧିମତା) ଠାବ କରିଛି । ସେଣ୍ଟର ସୁପରିଟେଣ୍ଡେଣ୍ଟ ନିୟମ ଉଲ୍ଲଘଂନ କରିଥିବାରୁ ପୁନର୍ବାର ଯେପରି ଏହା ନହୁଏ କଡା ଚେତାବନୀ ଦେଇଛି ବୋର୍ଡ ।
ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରଶ୍ନପତ୍ର ଖୋଲା ଯାଇଥିଲା । ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ର ଗୁଡିକୁ ଲୁହା ବାକ୍ସରେ ରଖାଯାଇ ନଥିଲା ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡିକ ବାହାରେ ରହିଥିଲା । ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହ ଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି । ନବରଂଗପୁର ଡାବୁଗାଁ ସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି ।
ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ । ଏସବୁ ସିଧାସଳଖ ସଂଯୋଗ ହୋଇଛି ବୋର୍ଡ କାର୍ଯ୍ୟଳୟରେ କମାଣ୍ଡ୍ କଣ୍ଟ୍ରୋଲ ରୁମ୍ ସହ । ବିରାଟ ଏଲଇଡି ସ୍କ୍ରିନରେ ଭିଡିଓ ଲାଇଭ ଷ୍ଟ୍ରିମିଂ ହେଉଛି ଏବଂ AI ଆଲର୍ଟ ଆସୁଛି । ଏସବୁ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ଏବଂ ୨୦ ଜଣିଆ ଅବଜର୍ଭର ଟିମ୍ ।