ଓଡ଼ିଆ ନ୍ୟୁଜ, (କେନ୍ଦ୍ରାପଡ଼ା) : ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’-୨୦୨୩ ଏବଂ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିଶୁ ହସିଲେ ଦେଶ ହସିବ । ଗାଁ ଗହଳିରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ ‘ସୁରଭି’ । ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ମହୋତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା, ସମଗ୍ର ଶିକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ ଅଧ୍ୟକ୍ଷତା କରିଥିଲେ । ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଡେରାବିଶ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ମଲିକ ଯୋଗ ଦେଇଥିଲା ବେଳେ ରାଜନଗର ମଣ୍ଡଳ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ ମୁଖ୍ୟ ବକ୍ତା, ମାର୍ଶାଘାଇ ମଣ୍ଡଳ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀ ତନ୍ମୟ କୁମାର ବେହେରା, ଡେରାବିଶ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ଆଳି ମଣ୍ଡଳ ଶିକ୍ଷାଧିକାରୀ ରତିକାନ୍ତ ସେନାପତି ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ‘ସୁରଭି’ ମହୋତ୍ସବକୁ ମୁଖ୍ୟ ଅତିଥି ଆନୁଷ୍ଠାନିକଭାବେ ଶୁଭ ଉଦ୍ଘାଟନ କରିବା ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ସମସ୍ତ ବ୍ଲକ୍ରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ‘ସୁରଭି’ ଏବଂ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତାର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସୂଚନାଯୋଗ୍ୟ ଯେ, ସୁରଭି ଓ ମିଲେଟ୍ସ ପ୍ରତିଯୋଗିତାର ପ୍ରତ୍ୟେକ ବିଭାଗରେ କୃତିତ୍ୱ ହାସଲ କରି ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ ।
ମଧ୍ୟାହ୍ନ ଭୋଜନ ପରେ ଅପରାହ୍ଣର ଉଦ୍ଯାପନୀ ସମାରୋହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଜ ମଧ୍ୟରେ ଥିବା ଆତ୍ମବିଶ୍ୱାସ, ଆତ୍ମ ପ୍ରତ୍ୟୟକୁ ହ୍ରାସ ନକରି ଅନ୍ତର୍ନିହିତ ପ୍ରତିଭାକୁ ବୃଦ୍ଧି କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ପିଲାମାନେ ନିଜ ମନରେ କୌଣସି ହୀନମନ୍ୟତା ନରଖି ପ୍ରତିଯୋଗିତାରେ ଭାଗ ନେବା ସହ ନିଜର ଅନ୍ତଃପ୍ରତିଭାକୁ ଶହେ ପ୍ରତିଶତ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ‘ସୁରଭି’ ମହୋତ୍ସବରେ ଯୋଗ ଦେଇ ସେ ନିଜ ପିଲାଦିନର ସ୍ମୃତି ଓ ବୃତି ଚୟନରେ ନିଜର ଅନ୍ତର୍ନିହିତ ଇଛାକୁ ବଳବତର ରଖିବାକୁ କହିଥିଲେ । ଡେରାବିଶ ବ୍ଲକ୍ରେ ଆରମ୍ଭ ହୋଇଥିବା ଡି.ଇ.ଏ.ଆର୍ (ଡ୍ରପ୍ ଏଭ୍ରିଥିଙ୍ଗ୍ ଆଣ୍ଡ୍ ରିଡ୍) ଅର୍ଥାତ୍ ଜିଲ୍ଲା ପାଠାଗାର ଆନ୍ଦୋଳନ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିବା ସହ ଅନ୍ୟ ବ୍ଲକ୍ ଗୁଡ଼ିକରେ ଏହାର ସଫଳ ରୂପାୟନ ପାଇଁ ଛାତ୍ରଛାତ୍ରୀମାନେ ଏହାକୁ ଆପଣାଇନେବାକୁ ମଧ୍ୟ କହିଥିଲେ । ଦୈନନ୍ଦିନ ଖାଦ୍ୟପେୟରେ ପୁଷ୍ଟିସାରଯୁକ୍ତ ମିଲେଟ୍ସକୁ ବ୍ୟବହାର କରିବାକୁ ସମସ୍ତଙ୍କୁ କହିଥିଲେ ।
ଡେରାବିଶ ମଣ୍ଡଳଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶିକ୍ଷା ତାଲିମ୍ ପ୍ରତିଷ୍ଠାନ, ବାଲିଆର ଅଧ୍ୟକ୍ଷ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଯୋଗ ଦେଇଥିଲା ବେଳେ ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡଃ ମନୋଜ କୁମାର ଚାନ୍ଦ, ପଟ୍ଟାମୁଣ୍ଡାଇ ବିଇଓ ହରିହର ଦଳାଇ, ସମସ୍ତ ୯ଟି ବ୍ଲକ୍ର ସିଆର୍ସିସି, ବିଭିନ୍ନ ସ୍କୁଲ୍ର ଶିକ୍ଷକ, ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସମାରୋହରେ ସିଆର୍ସିସି ରତ୍ନାକର ନୋଡାଲ ହାଇସ୍କୁଲର ଅନନ୍ତ କୁମାର ପରିଡ଼ା ମଂଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ବିଷ୍ଣୁ ଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।