ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୪ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୪ ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ଉପ-ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି I ଜିଲ୍ଲାରେ ଘଟୁଥିବା ଘଟଣାବଳିକୁ ଲୋକଲୋଚନକୁ ଆଣିବା ସହ ସ୍ଵଚ୍ଛ ଓ ନିର୍ମଳ ଶାସନ ନିମନ୍ତେ ଗଣମାଧ୍ୟମ ଜିଲ୍ଲା ପ୍ରଶାସନ ପାଇଁ ଦର୍ପଣ ରୂପେ କାର୍ଯ୍ୟ କରିଥାନ୍ତି ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମତବ୍ୟକ୍ତ କରିଥିଲେ I ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ସମ୍ବିଧାନର ତିନିସ୍ତମ୍ବର ଆଖ୍ୟା ଦିଆଯାଉଥିବା ବେଳେ ପ୍ରଥମ ଦୁଇଟି ପରସ୍ପର ନିର୍ଭରଶୀଳ ଏବଂ ତୃତୀୟଟି ସ୍ଵାଧୀନ ଏବଂ ନିରପେକ୍ଷ I

ଏମାନଙ୍କୁ ସୁନିୟନ୍ତ୍ରିତ କରିବା ପାଇଁ ଗଣମାଧ୍ୟମ ଚତୁର୍ଥ ସ୍ତମ୍ବଭାବେ କାର୍ଯ୍ୟକରେ I ଗଣମାଧ୍ୟମ ଦ୍ଵାରା ପ୍ରକାଶିତ ଓ ପ୍ରସାରିତ ସମ୍ବାଦ ଶାସନ ବ୍ୟବସ୍ଥାର ନୀତି, କାର୍ଯ୍ୟଶୈଳୀ, ପରିକଳ୍ପନା ଓ ସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥାଏ I ଫଳରେ ସମାଜ ଓ ରାଷ୍ଟ୍ରର ଚରିତ୍ର ଗଠନ ଓ ସଂଶୋଧନ ନିମନ୍ତେ ଗଣମାଧ୍ୟମର ଭୂମିକା ଅନସ୍ଵୀକାର୍ଯ୍ୟ ଓ ଗୁରୁତ୍ଵପୂର୍ଣ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ I ଗଣତନ୍ତ୍ର ସୁଦୃଢ ପାଇଁ ଗଣମାଧ୍ୟମର ଭୂମିକା ସମ୍ପର୍କରେ ସେ ମତ ପ୍ରକାଶ କରିଥିଲେ I ଗଣମାଧ୍ୟମ ଜିଲ୍ଲାପ୍ରଶାସନର ଆଖି ଓ କାନ ଭଳି କାର୍ଯ୍ୟକରି ପ୍ରଶାସନିକ କାର୍ଯ୍ୟାବଳିର ତଥ୍ୟଭୀତିକ ତ୍ରୁଟି ଲୋକଲୋଚନକୁ ଆଣିଥାନ୍ତି ଫଳରେ ଜିଲ୍ଲାପ୍ରଶାସନ ନିଜର ତ୍ରୁଟିକୁ ସୁଧାରିବା ପାଇଁ ସକ୍ଷମ ହୋଇଥାଏ I ମହାଭାରତର ଅବତାରଣା ଦେଇ ନୀତି ଓ ରାଜନୀତି ମଧ୍ୟରେ ଥିବା ପ୍ରଭେଦ ସେ ଦର୍ଶାଇ ଥିଲେ I ଜଣେ ବ୍ୟକ୍ତି ଯଦି ନିଜର ନୀତି ପ୍ରତି ସଚେତନ ରୁହେ ସେ ସମାଜର ମଙ୍ଗଳ ସାଧନ କରିପାରିବ I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ତପନ କୁମାର ପତି ଯୋଗଦେଇ “ଗଣମାଧ୍ୟମର ପରିବର୍ତ୍ତିତ ସ୍ଵରୂପ” ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସାମ୍ବାଦିକତା ହେଉଛି ଏକ ବ୍ରତ I

ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମ୍ପର୍କ ସୁଦୃଢ ରହିଲେ ଜନସାଧାରଣଙ୍କ ସମସ୍ୟା ସମାଧାନ ହୋଇପାରିବ I ଜିଲ୍ଲା ଓ ବ୍ଲକସ୍ତରର ବିଭିନ୍ନ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ଗଣମାଧ୍ୟମର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ I ଶ୍ରୀ ଗଣେଶ ଚନ୍ଦ୍ର ସାମଲ, ଶ୍ରୀ ରବିନାରାୟଣ ପତି, ଶ୍ରୀ ଆଶିଷ ସେନାପତି, ଶ୍ରୀ ଜଗନ୍ନାଥ ଧଳ, ଶ୍ରୀ ମାତୃଦତ୍ତ ମହାନ୍ତି, ଶ୍ରୀ ପ୍ରଭାତ ଲେଙ୍କା, ଶ୍ରୀ ପିନାକୀ ସାମନ୍ତରାୟ,ଶ୍ରୀ ଭୀମସେନ ସେଠୀ, ଶ୍ରୀ ଦୁର୍ଗା ପ୍ରସାଦ ପତି, ଶ୍ରୀ ରାଧାକାନ୍ତ ମହାନ୍ତି, ଶ୍ରୀ ପ୍ରସନ୍ନ ଧଳ ଓ ନମିତା ନାୟକ ପ୍ରମୁଖ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ସେମାନଙ୍କ ସମ୍ବାଦ ସଂଗ୍ରହ ସମ୍ପର୍କିତ ଅଭିଜ୍ଞତା ଓ ଦିବସ ପାଳନ ଉପଲକ୍ଷେ ଆଲୋଚ୍ୟ ବିଷୟ “ଗଣମାଧ୍ୟମର ପରିବର୍ତ୍ତିତ ସ୍ଵରୂପ” ସମ୍ପର୍କରେ ନିଜସ୍ଵ ସୁଚିନ୍ତିତ ତଥ୍ୟ ପ୍ରଦାନ କରିବାସହ ପ୍ରଶାସନ ସମୁଖରେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଅଭିଯୋଗ ଗୁଡିକର ତଦନ୍ତ କରିବା ଆବଶ୍ୟକ ବୋଲି ସାମ୍ବାଦିକମାନେ ଅନୁରୋଧ କରିଥିଲେ I ପ୍ରଦୀପ ପ୍ରଜ୍ଵଳନ ଓ ବଳଦେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହ ପ୍ରାରମ୍ଭରେ ସ୍ଵାଗତ ଅଭିଭାଷଣ ଦେବା ସହ ଶେଷରେ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ I

Comments are closed.