ଓଡ଼ିଶାରେ ମିଳୁନାହାନ୍ତି ଡାକ୍ତର

0

ଓଡ଼ିଆ ନ୍ୟୁଜ, କଟକ : ଓଡ଼ିଶାରେ ମିଳୁନାହାନ୍ତି ଡାକ୍ତର । ଖାଲି ପଡୁଛି ଡାକ୍ତର ପଦବୀ । ହାଇକୋର୍ଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏପରି ସତ୍ୟପାଠ ଦିଆଯାଇଛି । ସତ୍ୟପାଠ ଅନୁସାରେ ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୁରଣ ପାଇଁ ନିୟମିତ ବିଜ୍ଞପ୍ତି ପ୍ରକାଶ ପାଉଛି । ହେଲେ ପଦବୀ ସଂଖ୍ୟାର ଅଧା ବି ଆବେଦନ ମିଳୁନାହିଁ । ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଯେତିକି ମେଡିକାଲ ଅଫିସର ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଉଛି ତାର ୫୦ ପ୍ରତିଶତ ପଦ ବି ପୂରଣ ହୋଇ ପାରୁନାହିଁ ।୨୦୧୮ ଡିସେମ୍ବର ୧୪ରେ ୧୯୫୦ ମେଡିକାଲ ଅଫିସର ପଦ ପୂରଣ ପାଇଁ ଓପିଏସ୍‌ସିକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଥିଲା। ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ୯୩୮ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ସ୍ବାସ୍ଥ ବିଭାଗ ପ୍ରଦାନ କରିଥିଲା।ସେହିଭଳି ୨୦୧୯, ଅକ୍ଟୋବର ୨୮ରେ ୩୨୭୮ ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓପିଏସ୍‌ସିକୁ କହିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ୧୪୦୩ଜଣ ପ୍ରାର୍ଥୀଙ୍କୁ ନିଯୁ୍କ୍ତିପତ୍ର ପ୍ରଦାନ କରାଯାଇଥିଲା। ୨୦୨୧ ଜାନୁଆରି ୧୮ରେ ୨୪୫୨ ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ କହିଥିଲା। ଓପିଏସ୍‌ସି ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ପରେ ମାତ୍ର ୭୬୩ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ୨୦୨୧ ଜୁନ ୧୧ରେ ଅନୁସୂଚିତ ଜାତି ଓ ଜନଜାତି (ଏସସି, ଏସଟି) ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ୧୫୮୬ ମେଡିକାଲ ଅଫିସର ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓପିଏସସିକୁ ଚିଠି ଲେଖା ଯାଇଥିଲା। ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ମାତ୍ର ୮୧ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା।

୨୦୨୧ ଅକ୍ଟୋବର ୭ରେ ୧୮୭୧ ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓପିଏସସିକୁ କହିଥିଲା। କିନ୍ତୁ ୩୫୮ ଜଣ ପ୍ରର୍ଥୀଙ୍କୁ ଶେଷରେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ୨୦୨୨ ନଭେମ୍ବର ୨୩ରେ ୩୪୮୧ ମେଡିକାଲ ଅଫିସର ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓପିଏସସିକୁ ଚିଠି ଲେଖିଥିଲା। ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ଓପିଏସସି ଅନୁମୋଦନରେ ମାତ୍ର ୧୨୦୨ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ସ୍ବାସ୍ଥ୍ୟ ବିଭାଗ ପ୍ରଦାନ କରିଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.