ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଂଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଲିସ୍ ଗିରଫ କରିଥିଲା । ବର୍ତ୍ତମାନ ତାଙ୍କୁ ମିଳିଛି ଜାମିନ୍ । ଟ୍ରମ୍ପ ନ୍ୟୁୟର୍କର ମ୍ୟାନହାଟ୍ଟନ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ଗତକାଲି ଯାଉଥିବା ବେଳେ ସେଠାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା ।
ଟ୍ରମ୍ପଙ୍କ ବିରୋଧରେ ଥିବା ୩୪ଟି ଅଭିଯୋଗକୁ ବିଚାରପତି ପଢି ଶୁଣାଇଥିବା ବେଳେ ସମସ୍ତ ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଗିରଫର ଘଣ୍ଟାଏ ମଧ୍ୟରେ ମ୍ୟାନହ୍ୟାଟ୍ଟନ୍ କୋର୍ଟ ଟ୍ରମ୍ପଙ୍କୁ ଜାମିନ୍ ଦେଇଛନ୍ତି । ଏଥିସହ ୧.୨୨ ଲକ୍ଷ ଡଲାରର ଜରିମାନା ପାଇଁ ମଧ୍ୟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାମିନ୍ ପରେ ଟ୍ରମ୍ପ ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ବାଇଡେନ୍ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ସୂଚନାଥାଉକି, ୨୦୧୬ ମସିହାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ୧,୩୦, ୦୦୦ ଡଲାର ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଟ୍ରମ୍ପଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଇଥିଲେ । ଟ୍ରମ୍ପ କୋର୍ଟରେ କହିଥିଲେ ଯେ, ମୋ ବିରୋଧରେ ରୁଜୁ ହୋଇଥିବା ୩୪ଟି ମାମଲା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ । ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଆମେରିକାରେ ଏବେ ଏପରି ଘଟଣା ଘଟୁଛି ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇ ପଡୁଛି ବୋଲି କୋର୍ଟରେ ଟ୍ରମ୍ପ କହିଥିଲେ । ଶୁଣାଣି ସମୟରେ କୋର୍ଟ ଟ୍ରମ୍ପଙ୍କୁ ଏପରି ମନ୍ତବ୍ୟରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ।
ବିଚାରପତିଙ୍କ ନିକଟରେ ହାଜର ହେବାର କିଛି ସମୟ ପରେ ଟ୍ରମ୍ପ କୋର୍ଟ ପରିସରରୁ ବାହାରି ଯାଇଥିଲେ । କୋର୍ଟରେ ହାଜର ହେବାର କିଛି ଘଣ୍ଟା ପୂର୍ବରୁ ଟ୍ରମ୍ପ ନିଜ ସମର୍ଥକଙ୍କୁ ଏକ ଇମେଲ ପଠାଇଥିଲେ । ଉକ୍ତ ମେଲ୍ର ବିଷୟବସ୍ତୁରେ ଏହା ମୋର ଗିରଫ ପୂର୍ବରୁ ଶେଷ ଇମେଲ ବୋଲି ଲେଖିଥିଲେ । ଏହା ହେଉଛି ଆମେରିକା ରାଜନୈତିକ ଇତିହାସରେ ଏହା ପ୍ରଥମ ଘଟଣା ।