ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଚାନ୍ଦିପୁର ବନବିଭାଗକୁ ବଡ଼ ସଫଳତା । ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ। ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ଏହି ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ରାଜ୍ୟ ବାହାରକୁ ବିଷଧର ସାପ ଚାଲାଣବେଳେ ରେଡ୍ କରି ୩ ଜଣଙ୍କୁ ଗିରଫ କରିଛି ବନବିଭାଗର ସ୍ପେଶାଲ ସ୍କ୍ୱାର୍ଡ । ଏହାସହ ୨୬ଟି ସାପ ଜବତ କରିଛି । ଏଥିରେ ଅନେକ ନାଗ ସାପ ରହିଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ନୂଆଗାଁ, ପଞ୍ଚୁପାଲି ଅଞ୍ଚଳର ଦଣେ ଦମ୍ପତି ଏହି ରାକେଟ୍ ଚଳାଇଥିଲେ । ସାପ ଚାଲାଣ ରାକେଟ୍ ବିଷୟରେ ଖବର ପାଇବା ପରେ ସମ୍ପୃକ୍ତ ଦମ୍ପତିଙ୍କ ଘରେ ଚଢଉ କରିଥିଲା ଚାନ୍ଦିପୁର ବନବିଭାଗ ।
ଆଉ ଏହି ସମୟରେ ସେମାନଙ୍କ ପାଖରେ ୨୦ରୁ ଅଧିକ ବିଷଧର ସାପ ଜବତ ହୋଇଥିଲା । ଘଟଣା ପାଇଁ ସମ୍ପୃକ୍ତ ଦମ୍ପତି ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି। ତେବେ ଏତେବଡ ରାକେଟ୍ ବିଷୟରେ ନିକଟସ୍ଥ ଲଙ୍ଗଳେଶ୍ୱର ବନବିଭାଗ ପାଖରେ କିପରି କୌଣସି ଖବର ନାହିଁ ସେନେଇ ଚିନ୍ତା ପ୍ରକାଶ ପାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ଏଥିରୁ ଆହୁରି ବହୁ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।