ଓଡ଼ିଆ ନ୍ୟୁଜ୍: ସମ୍ବଲପୁରରେ ୨୫ ଟି ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍ର ବ୍ୟବସ୍ଥା କରିବାକୁ ଘୋଷଣା।ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।ବସ୍ ଟର୍ମିନାଲ୍ ଓ ବସର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି।ଆଜି ୨୫ ଟି ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
ସମ୍ବଲପୁର ବାସୀଙ୍କ ଗମନା ଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍ର ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ।
ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଇ-ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବସ ଗୁଡିକର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଇଁଠାପାଲି ଠାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ବା CRUT ର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଆଜି ଉଦ୍ଘାଟନ କରାଯାଇଛି। ଏଥିସହିତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଟର୍ମିନାଲ ଏବଂ ବସ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୩୮ କୋଟି ୧୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ବସ୍ ବ୍ୟବସ୍ଥା ଦ୍ବାରା ସମ୍ବଲପୁର ବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ସେ କହିଥିଲେ।
ଉକ୍ତ କାର୍ଯ୍ୟକ୍ରମ ଅବସରରେ, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ନାଉରି ନାଏକ, ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।