ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆଜି ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚଢାଉ ପରେ ତାଙ୍କୁ ଗିରଫ କରିବା ସମ୍ଭାବନା ରହିଥିବା କହିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶି ଏବଂ ସୌରଭ ଭରଦ୍ବାଜ । ବାରମ୍ବାର ସମନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଇଡିରେ ହାଜର ନହେବାରୁ ତାଙ୍କୁ ଆଜି ଗିରଫ କରିବାର ସମ୍ଭାବନା ରହିଥିବା ଦିଲ୍ଲୀ ସରକାରଙ୍କ ଉଭୟ ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ।
କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ ବୋଲି ମନା କରିବା ପରେ ଆପ୍ ନେତାମାନେ ଏପରି କହିଛନ୍ତି। ଗତକାଲି ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ମନ୍ତ୍ରୀ ଅତୀଶ ଏକ୍ସ ପୋଷ୍ଟରେ କହିଥିଲେ, “ଦିଲ୍ଲୀ ପୁଲିସ ଗୁରୁବାର ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଚଢାଉ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହୋଇପାରନ୍ତି।” ପାର୍ଟି(ଆପ୍) ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆଜି ସକାଳେ କେଜ୍ରିୱାଲଙ୍କ ବାସଭବନକୁ ସଂଯୋଗ କରୁଥିବା ରାସ୍ତାକୁ ଦିଲ୍ଲୀ ପୁଲିସ ଅବରୋଧ କରିଛି।
ସୂଚନା ଅନୁସାରେ, ଇଡି ସମନକୁ ତୃତୀୟ ଥର ପାଇଁ ଫାଙ୍କି ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରି ସେ ଇଡି କାର୍ଯ୍ୟାଳୟରେ ହାଜର ହେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି। 2023, ନଭେମ୍ବର 2 ଏବଂ ଡିସେମ୍ବର 21ରେ ଇଡିରେ ହାଜର ହେବାକୁ ସମନ କରାଯାଇଥିଲା।
ଏହି ଦୁଇ ତାରିଖରେ କେଜ୍ରିୱାଲ ହାଜର ନ ହେବାରୁ ତାଙ୍କୁ ପୁନର୍ବାର 2024, ଜାନୁଆରୀ 3ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତୃତୀୟ ସମନକୁ ବି ଫାଙ୍କି ଦେଇଛନ୍ତି। ଆଜି ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କ ଘରେ ଚଢାଉ କରିପାରେ ବୋଲି ଆପ୍ ନେତାମାନେ କହିଛନ୍ତି।