ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କର୍ଣ୍ଣାଟକ କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ଜେଡିଏସ । ଏନେଇ ଏବେ କର୍ଣ୍ଣାଟକରେ ଆରମ୍ଭ ହୋଇଯାଇଛି ଆଲୋଚନା ପର୍ଯ୍ୟାଲୋଚନା । ଏହି ଆଲୋଚନାର ମୂଳ କାରଣ ହେଉଛି ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଅଫର ଦେବା ।
ସୂଚନା ମୁତାବକ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅଫର ଦେଇଛନ୍ତି । ଯାହାକୁ ନେଇ କର୍ଣ୍ଣାଟକ ରାଜନୀତିରେ ବିବାଦ ଦେଖାଦେଇଛି । ଯଦି ଶିବକୁମାର କଂଗ୍ରେସ ସରକାରରୁ ନିଜ ସମର୍ଥକଙ୍କ ସହ ଓହରି ଆସନ୍ତି, ତେବେ ଜେଡିଏସ ତାଙ୍କୁ ସମର୍ଥନ କରିବ। ଜେଡିଏସର ୧୯ ବିଧାୟକ ତାଙ୍କୁ ସମର୍ଥନ କରିବା ସହ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହିଛନ୍ତି।। କିଛି ଜେଡିଏସ ବିଧାୟକ କଂଗ୍ରେସରେ ସାମିଲ ହେବା ନେଇ ରାଜ୍ୟ କଂଗ୍ରେସର କିଛି ନେତା କହୁଥିବା ବେଳେ ଜେଡିଏସଙ୍କ ଏଭଳି ବୟାନ ରାଜନୀତିକୁ ସରଗରମ କରିଛି।
କିନ୍ତୁ ଏଭଳି ଅଫରକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଶିବକୁମାର। ସେ କହିଛନ୍ତି, କଂଗ୍ରେସ ନେତାମାନେ ଏକାଠୀ ହୋଇ ନିର୍ବାଚନ ଲଢିଥିଲେ। ମୁଖ୍ୟମନ୍ତ୍ରୀ ହେବାକୁ ସେ ଆଦୌ ତତ୍ପର ନୁହଁନ୍ତି। କେନ୍ଦ୍ରୀୟ ନେତାଙ୍କ ନିଷ୍ପତି ଅନୁସାରେ ରାଜ୍ୟରେ ଦଳ ପରିଚାଳନା ହେଉଛି। କେନ୍ଦୀୟ ନେତାଙ୍କ ଯାହା ନିଷ୍ପତି ନେବେ ସେ ପାଳନ କରିବେ ବୋଲି ଶିବକୁମାର କହିଛନ୍ତି।